ଧକ୍କା (ଏକ ପ୍ରେରଣା ବି)
ଧକ୍କା (ଏକ ପ୍ରେରଣା ବି)
ବିନ୍ଦୁଟିଏ ପରି ହୀରା ଖଣ୍ଡ
ଚିରି ଦିଏ କାଚର ଛାତିକୁ
ଖଣ୍ଡ ଖଣ୍ଡ କରି ବିଛାଡିଦିଏ
ତା ମୂଳ ଭିତ୍ତିରୁ ।
ପୁରୁଣା ରୂପକୁ ଖୋଜିଲେ ବି ପାଏନା ସେ କାଚଖଣ୍ଡଟି
କି ଦୋଷ ଥିଲା ତା ବି ଜାଣି ପାରେନା ।
ଯେମିତି ଥା'ନ୍ତି କିଛି ମନ୍ଥରା
କିଛି ଶକୁନୀ
ସମ୍ପର୍କରେ ଫାଟ କରିବାରେ
ବେଶ୍ ମାହିର୍ ସେମାନେ ।
କିନ୍ତୁ ......
ଅଜାଣତରେ ହେଉ ପଛେ
ହୀରାଟି ପାଲଟିଯାଏ ପ୍ରେରଣାର ଉତ୍ସ
ଖଣ୍ଡ ଖଣ୍ଡ କାଚ ପୁଣି ଲାଗି ଥାଏ
ନିଜକୁ ନୂଆ ରୂପ ଦେବାରେ
ପୁଣି ସଜେଇ ହେଇଯାଏ
ଏକ ଭିନ୍ନ ଅବୟବରେ
ପାଲଟିଯାଏ ଆକର୍ଷଣର ବିନ୍ଦୁ ,
ବଢିଯାଏ ତାର ଚାହିଦା ।
ଏ ଯୁଗର ମନ୍ଥରା ,ଶକୁନୀ
ଦୟାରେ ବି ସେ ଭଙ୍ଗା ହୃଦୟଟି
ପୁଣି ଗଢି ଉଠେ ,
ସମୟର କଷଟି ପଥରରେ
ନିଜକୁ ମାଜି ଘସି ସଫା କରିଦିଏ ।
ଫୁଟି ଉଠେ ତାର ପ୍ରତିଭା ,
ଧକ୍କା ଖାଇ ମୁହଁ ମାଡି ପଡିନି ସେ
ବରଂ ଭଙ୍ଗା ଅଣ୍ଟା କୁ ମଜଭୁତ କରିଛି ।
ନିଜକୁ ଅନନ୍ୟ କରି ଗଢି ତୋଳିବାର
ରାସ୍ତା ରେ ସେ ହୋଇଛି ସମର୍ଥ ।
ଏକ ଶୁଦ୍ଧ ବ୍ୟକ୍ତିତ୍ବ ପ୍ରଦର୍ଶନ ରେ
ହୋଇଯାଏ ସମର୍ଥ ।
ଧକ୍କା ଦେଇ ନିଜକୁ ରାଜା
ଭାବି ନିଶରେ ତେଲ ଦେଇ ଶୋଇଯାଏ ସିନା ସେ ମନ୍ଦ ଆତ୍ମା
କିନ୍ତୁ ଧକ୍କା ଖାଇ ବି
ଭଙ୍ଗା ତାସ ଘର ରୁ
ମଜଭୁତ କାନ୍ଥଟିଏ ତିଆରି କରିବା
ଶିଖିଯାଏ ଆଉ କେହି ।