ଦହଗଞ୍ଜ
ଦହଗଞ୍ଜ
କେଡେ ଦହଗଞ୍ଜ ନଈପଠା ସଞ୍ଜ
ସଞ୍ଜୁକ୍ତର ସଞ୍ଜୀବନୀ
ଜୀବନ ସଂଗ୍ରାମ ନୁହଁଇ ବିରାମ
ଭୁଞ୍ଜି ଭୁଞ୍ଜାଏ ଅବନୀ।
ପ୍ରାଣୀଙ୍କ ଆରତ ନ,ଶୁଣ ତୁରିତ
ଦୂରିତ ହେଲାକି ଭାରି
ଭାରିଜା କାନ୍ଦଇ ଦ୍ବାର ଆଉଯାଇ
ଦେଖଯାଇ ଅନ୍ତ ଚିରି।
ମନ୍ତ୍ରହୀନ ମୁହିଁ କ୍ରିୟା ହୀନ ହୋଇ
ମ୍ରିୟମାଣେ ଝୁରେ ଯାହା
ଦୀନ ହୀନ ଜନ ଅଶରଣ ଚିହ୍ନ
ବିସ୍ଫାରିତ ହୃଦ ଦାହା।
ନୟନ ଯୁଗଳ ବିଗଳିତ ଦଳ
ଦୟନୀୟ ଦାରିଦ୍ର୍ୟତା
ଅଭାବୀ ମଣିଷ ସ୍ବଭାବ ଅଶେଷ
ବିଶେଷତ୍ବ ଯାହା ବାର୍ତ୍ତା।
ପ୍ରାଣୀକୂଳ ହଟ ଚମଟ ପ୍ରକଟ
ଭାଆଇଛ ଯାହାଲାଗିି
କରମ ଅଧିନେ ପରମ ଧିଆନେ
ଯୋଡିଅଛ ସଉଭାଗୀ।
ତୁମରି ଇଙ୍ଗିତେ ମହୀତଳେ ନୃତ୍ୟେ
ଖଳନ୍ତି ସମଗ୍ର ଭୃଣ
ବ୍ରହ୍ମାଣ୍ଡ ଗୋସାଇଁ ଜାଣନ୍ତି ତା,ତହିଁ
ଖେଳୁଛନ୍ତି ତରୁତୃଣ।
ଅନ୍ନଂଦେହୀ ବସ୍ତ୍ରଂଦେହୀ ଯଶୋଦେହୀି
ସବୁତ ତୁମରି ମାୟା
କରି କରାଉଛ ନ,କଲା ସେ ମିଛ
ମିଛରେ ଭୂଲାଉ ଭୂଆଁ।।
ଜଗତ ଆହାତ ଦୁଃଖ ଅପ୍ରମିତ
ଦେଖୁଦେଖୁ ଠିଆ ହୁଅ
କେତେ ଦହଗଞ୍ଜ ସହିବି ଭରଜ
ଆଖିଆଗେ ଲବେ କୁହ?