ଦେଖୁଥିବି ତାରା ହୋଇ
ଦେଖୁଥିବି ତାରା ହୋଇ
ଆଜି ମୁଁ ବଞ୍ଚିଛି କାଲିର ସୂର୍ଯ୍ୟ
ଜୀବନରେ ଆଉ ମୋର
ଆସିବ କି ନାହିଁ କିଏସେ କହିବ
ଏତ ଅନିତ୍ୟ ସଂସାର ।।
କବି ଟିଏଥିଲା ମନେ ରଖିବାକୁ
ଆଜି ମୁଁ ଲେଖିଲି ବନ୍ଧୁ
ଯଦି ମୁଁ ନଥାଏ ଢାଳିଦେବ ଖାଲି
ଦୁଇଟୋପା ଲୁହ ବିନ୍ଦୁ ।।
ପାଣିଫୋଟକାର ଜୀବନ ୟେ ପୁଣି
ପଦ୍ମପତ୍ରେ ଜଳ ସମ
ଢଳ ଢଳ ହୋଇ ପବନ ସାଥିରେ
ଖେଳୁଅଛି ରାତି ଦିନ ।।
କିଏସେ କହିବ ଅଦିନିଆ ଝଡ
କେବେହେବ ଉପଗତ
ସବୁଦିନ ପାଇଁ ନିର୍ବାପିତ ହେବ
ଜୀବନ ଜଳନ୍ତା ଦୀପ ।।
ଦେଖିଛି ଅନେକ ସ୍ଵପ୍ନ ଜୀବନେ
ଆଶାର ବୈତରଣୀ
ଏବେବି ପ୍ରବାହ ହୁଅଇ ମନରେ
ଅବା ଶୁଖିଯିବ ପୁଣି ।।
ଏହି ଏ ବିଚିତ୍ର ଅନିତ୍ୟ ସଂସାରେ
ଅନିତ୍ୟ ପ୍ରାଣ ପ୍ରବାହ
ପୂର୍ଣ୍ଣ ହେବ ଆଶା ସପନ ମୋହର
ରହିବ କି ପରିଚୟ ।।
ଜୀବନରେ ଥରେ ଭାବିନି ବି କେହି
ପର କି ଆପଣା ବୋଲି
ସାଙ୍ଗ,ସାଥି,ବନ୍ଧୁ,ପରିଜନ ଆଜି
ମନେ ଅଛି ଥିବ କାଲି ।।
ଆରପାରେ ଥାଇ ତାରାଟିଏ ହୋଇ
ମିଟି ମିଟି କରି ଆଖି
ଦେଖୁଥିବି ସବୁବେଳେ ମୁଁ ତୁମକୁ
ଯେମିତି ଦେଖୁଛି ଆଜି ।।
ତୁମ ସ୍ନେହ ଶ୍ରଦ୍ଧା ପାଥେୟ କରି ମୁଁ
ପାର ହୋଇ ଭବ ସିନ୍ଧୁ
ଯେମିତି ହସୁଛି ସେମିତି ହସିବି
ଆରପାରେ ଥାଇ ବନ୍ଧୁ ।।
ଅନେକ ଆଦର ସ୍ନେହ ଶ୍ରଦ୍ଧା ପାଇ
ଜୀବନ ହୋଇଛି ଧନ୍ୟ
ହଜିଗଲେ ବନ୍ଧୁ ପର କରିବନି
ଏହି ମୋ ମିନତୀ ଘେନ ।।