ଦେଖା ହେଲେ କେବେ କହିବି ସେ କଥା
ଦେଖା ହେଲେ କେବେ କହିବି ସେ କଥା
ଦେଖା ହେଲେ କେବେ କହିବି ସେ କଥା
ଭାବୁଛି ଆଜି ମୁଁ ବସି,
ମନ ତଳର ସେ ରାଗ ଅଭିମାନ
କୁହୁଳେ ଯା ଦିବାନିଶି।
ତୁମେ ପରା ସ୍ରଷ୍ଟା ହେ ବିଶ୍ଵନିୟନ୍ତା
ତୁମେ ଗଢିଛ ଏ ବିଶ୍ବ,
କାହାକୁ ବସାଇ ରାଜେନ୍ଦ୍ର ଆସନେ
କାରେ କର କାହିଁ ନିଃସ୍ବ ?
କିଏ ଖାଏ ଏଠି ଖିରିପୁରି ନିତି
କିଏ ପାଏନାହିଁ ଦାନା,
କିଏ ଚାଲୁଥାଏ ସୁନାରେ ରୂପାରେ
କିଏ ପାଏନାହିଁ କନା।
କାହାକୁ ରଖାଅ ରାଜଉଆସରେ
ଭଙ୍ଗା କୁଡିଆରେ କିଏ,
ଚନ୍ଦ୍ରସୂର୍ଯ୍ୟ ଦେଖେ ଦିନରାତି କିଏ
ଆରାମ ଗଦିରେ ସୁଏ।
ମୁଁ ସିନା ବାଳୁତ ଜାଣେନାହିଁ କିଛି
ପୂଜା ଅରଚନା ତବ,
ମୋର ମାଆ ନିତି ପୂଜଇ ତୁମକୁ
ନେଇ ମନେ ଭକ୍ତି ଭାବ।
ମୋର ଡାକ ସିନା ଶୁଣିବନି ତୁମେ
ଦିଏନା ତୁମକୁ ଭୋଗ,
ମୋ ମାଆ ନ ଖାଇ ଦିଏ ନିତି ଭୋଗ
ତା ଉପରେ କାହିଁ ରାଗ?
ମୋ ସାଙ୍ଗ ଗୌରାଙ୍ଗ ଭଲ ତାର ଭାଗ୍ୟ
ପଢେ ବଡ ଇସ୍କୁଲୁରେ,
ତାର କେତେ ଖାତା, ବହି, ରଙ୍ଗ ମୋର
ସ୍ଯାହି ନାହିଁ କଲମରେ।
ଖାଏ କେତେ ଚକୋଲେଟ୍ ଆଇସ୍କ୍ରିମ୍
ବୁଲଇ କାରରେ ବସି,
ମାଆ କହେ ପୋକ ଖାଇଯିବ ଦାନ୍ତ
ମନ ଦୁଃଖେ ଚାହେଁ ବସି।
ବଡ କୋଠା ତାଙ୍କ ପାଏନାହିଁ ଆଖି
ଆମ ଚାଳୁ ଗଳେ ପାଣି,
ତାଙ୍କ ଘରେ କେତେ ରଙ୍ଗର ଆଲୁଅ
ଆମେ ବସୁ ଡିବି ଜାଳି।
ବାପାମାଆ ତାର ପାଶେ ଛନ୍ତି ନିତି
କରୁଥାନ୍ତି ତାକୁ ଗେଲ,
ବାପା ସ୍ନେହ ଟିକେ ପାଇଲିନି ମୁହିଁ
କାହିଁକି ଛଡେଇ ନେଲ?
ମାଆ କହେ ତୁମ ଇଚ୍ଛାରେ ଦୁନିଆ
ସୂର୍ଯ୍ୟ ଚନ୍ଦ୍ର ଆତଯାତ,
ପତିତପାବନ ନାମ ବହି ତୁମେ
ଉଡ଼ାଉଛ ପରା ନେତ।
ଜଗତର ନାଥ ଅଟ ପରା ତୁମେ
ତୁମରି ସନ୍ତାନ ଆମେ,
ପକ୍ଷପାତ ପ୍ରଭୁ କାହିଁକି କରୁଛ
କଳଙ୍କ ଲାଗିବ ନାମେ।
ଅନ୍ତରୁ ଡାକିଲେ ଶୁଣ ପରା ତୁମେ
ବିପଦରେ ଆସ ଧାଇଁ,
ତୁମ ପାଦତଳେ ମାଆ ଲୁହ ଢାଳେ
ଆସୁନ ତ କେବେ କାଇଁ।
ଦେଖା ହେଲେ କେବେ କହିବି ସେ କଥା
ଯାହା ଅଛି ମୋର ମନେ,
ସତ ଯଦି ତୁମେ ଦେଖା ଦିଅ ଥରେ
ବିଶ୍ବାସ ଭର ହେ ମନେ।