ଦେବ ଦମ୍ପତ୍ତି
ଦେବ ଦମ୍ପତ୍ତି
ବୈଶାଖ ଦୁଃଖ ତାତି ଡହକ
ନିଆଁ ବରଷା ହୁଏ
ଜ୍ୟେଷ୍ଠ ମାସରେ ଆହୁରି କଷ୍ଟ
ଝାଞ୍ଜି ପବନ ବହେ ।
ନିଦାଘ କାଳ ଆସିଲେ ସରି
କାଳ ବୈଶାଖୀ ବର୍ଷା
ମାଟି ମନରେ ଭରି ଦିଏ ସେ
ହଜାରେ ନୂଆ ଆଶା ।
ଆଶାର ଭାଷା ଶିବ ବିବାହ
ପୋଥି ପୁରାଣ କଥା
ଶୀତଳଷଷ୍ଠୀ ଦେବ ଦମ୍ପତି
ସମୟ ଗାଏ ଗାଥା ।
ଶିବ ପୁରାଣ ଦୁଃଖ କାହାଣୀ
ସତୀଙ୍କ ଆତ୍ମହୁତି
କାଳ କୁ କଳେ କାଳେଶ୍ବର ଙ୍କ
କରାଳ ରୁଦ୍ର ମୂର୍ତ୍ତି ।
ଏମିତି ବେଳେ ବ୍ରହ୍ମାଙ୍କ ବଳେ
ହୋଇଯେ ବଳୀୟାନ
ତାରକାସୁର ଅତ୍ୟାଚାର ରେ
ଜଗତ ଶିରିହିନ ।
ତା ମୃତ୍ୟୁ ବର ଶିବଙ୍କ ପୁତ୍ର
ପାରିବ ତାକୁ ଜିତି
ଶିବ ତ ଏକା ଦକ୍ଷ ଯଜ୍ଞରେ
ସଂସାର ତାଙ୍କ ଇତି ।
ତାରକାସୁର ଅତ୍ୟାଚାର ରେ
ଅଥୟ ଦେବ କୂଳ
ବିଷ୍ଣୁଙ୍କ ପାଦେ ଶରଣ ଗଲେ
ହରାଇ ଥଳକୂଳ ।
ଦୁଃଖହାରି ସେ ଶୁଣି ଗୁହାରି
ଭରସା ସେତ ଦେଲେ
ମହାଦେବ ଙ୍କ ବିବାହ ପାଇଁ
ମାୟା ରଚନା କଲେ ।
ସଂସାର ହରା ହୋଇ ଯେ ଶିବ
ତପସ୍ୟା କରୁଥିଲେ
ମଦନ ମାରି କାମ କମାଣ
କାମେ ବିଭୋର କଲେ ।
ସତୀ ଯେ ଏଣେ ପାର୍ବତୀ ରୂପେ
ଜନମ ନେଇଥିଲେ
ଶିବଙ୍କୁ ପୁଣି ପାଇବା ପାଇଁ
ତପସ୍ୟା କରୁଥିଲେ ।
ବିଷ୍ଣୁ ଙ୍କ କଥା ରଖିଲେ ଶିବ
ବିବାହ ପାଇଁ ରାଜି
ପର୍ବତ ରାଜା କନ୍ୟା ପାର୍ବତୀ
ଆନନ୍ଦେ ଗଲେ ହଜି।
ଜ୍ୟେଷ୍ଠ ମାସର ଶୁକ୍ଳ ପଞ୍ଚମୀ
ଦେବ ବିବାହ ହେଲା
ତାରକାସୁର ବଧ ପାଇଁକି
ପଥ ଯେ ମିଳିଗଲା ।
ବିବାହ ବାସୀ ଦେବ ଦମ୍ପତି
ଶୋଭାଯାତ୍ରା ରେ ଆସି
ନଗର କଲେ ପରିଭ୍ରମଣ
ନନ୍ଦୀ ବାହନେ ବସି ।
ଡମ ଡମ ଯେ ବାଜି ଡମ୍ବରୁ
ବିଜୟ ବାର୍ତ୍ତା ଦେଲା
ଚୁଆ ଚନ୍ଦନ ବେଲ ପତର
ବାସ ମହକିଗଲା ।
ଦେବ କିନ୍ନର ଶିବଗଣ ଙ୍କୁ
ସାଥିରେ ପ୍ରଭୁ ନେଇ
ତ୍ରିଶୂଳଧାରି ଅଭୟ ବାଣୀ
ଜଗତେ ଗଲେ ଦେଇ ।
ଗିରିଷମ ରେ ମୃଦୁ ମଳୟ
ସତେକି ବହିଗଲା
ଦେବ ବିବାହ 'ଦେବେ' ଅଭୟ
ପରଶ ଦେଇଗଲା ।
ଜନମ ହେଲେ କାର୍ତ୍ତିକେୟ ଯେ
ଶିବ ପାର୍ବତୀ ସୂତ
ଯାହାଙ୍କ ହାତେ ତାରକାସୁର
ହୋଇଲା ଯୁଦ୍ଧେ ହତ ।
ଜ୍ୟେଷ୍ଠର ସେହି ଶୁକ୍ଳ ଷଷ୍ଠୀର
ଶୀତଳ ଅନୁଭୂତି
ଜଗତେ କ୍ଷାତ ହୋଇଲା ସେତ
ଷଷ୍ଠୀ ଶୀତଳଷଷ୍ଠୀ ।
ଶୀତଳଷଷ୍ଠୀ ଶିବ ବିବାହ
ମଙ୍ଗଳ ଗୀତି ଗାଇ
ପୁରାଣ ର ସେ ପୁରୁଣା କଥା
ମନରେ ଉଠେ ଚେଇଁ ।
ଶିବ ମନ୍ଦିରେ ହୁଅଇ ସେହି
ଦେବ ବିବାହ ନୀତି
ବିବାହ ବାସି ଦେବ ଦମ୍ପତି
ଗ୍ରାମରେ ବୁଲିଥାନ୍ତି ।
ଭକ୍ତ ଦୁଆରେ ଭକ୍ତ ବତ୍ସଳ
ଧନ୍ୟ ହୁଅଇ ଭକ୍ତ
ଧୂପ ଦୀପ ରେ ଦିଅଁ ଅର୍ଚ୍ଚନା
ଉଛୁଳେ ଭାବ ଶ୍ରୋତ ।
ପୁରୀ ରେ ଅଛି ଶାସନ ଯେତେ
ବ୍ରାହ୍ମଣଙ୍କର ଗାଁ
ସବୁ ଗାଁ ର ଶୀତଳଷଷ୍ଠୀ
ପରବ ମନଛୁଆଁ ।
ଲିଙ୍ଗରାଜ ଙ୍କ ଶୀତଳଷଷ୍ଠୀ
ଅପୂର୍ବ ମହୋତ୍ସବ
ମାତା ଗଉରୀ ପାଣି ଗ୍ରହଣ
କରନ୍ତି ମହାଦେବ ।
କେଦାର ଗୌରୀ ମନ୍ଦିରେ ହୁଏ
ପ୍ରଭୁ ଙ୍କ ବିଭାଘର
ମଙ୍ଗଳ ଗୀତେ ଉଛୁଳୁଥାଏ
ସାରା ଏକାମ୍ର କ୍ଷେତ୍ର ।
ସମ୍ବଲପୁର ଶୀତଳଷଷ୍ଠୀ
ସାରା ଜଗତେ କ୍ଷାତ
ଲୋକାଚାରରେ ଦେବ ବିବାହ
ସହର ମୁଖରିତ ।
ଦେବ ଦମ୍ପତି ଶୋଭାଯାତ୍ରା ରେ
ପରାଣ ଯାଏ ହଜି
ପ୍ରଭୁଙ୍କ ଜୟ ଗାନ କରନ୍ତି
ଭକତେ ଭାବେ ଭିଜି ।
ନିଦାଘ ଦାଉ ପଡେନି ଜଣା
ପ୍ରଭୁ କରନ୍ତି ଦୟା
ଭକତ ମନ ନିଅନ୍ତି କିଣି
ରଚି ଶୀତଳ ମାୟା ।
ଜୟ ହେ ଜୟ ଶିବ ଶିବାନୀ
ଜଗତ ପିତାମାତା
ଜୟ ହେ ଜୟ ଭବ ଭବାନୀ
ଅଭୟ ବର ଦାତା ।
ଜୟ ହେ ପ୍ରଭୁ ସର୍ବ ଈଶାନ
ଜୟ ମାଆ ସର୍ବାଣୀ
ଜୟ ହେ ପ୍ରଭୁ ଚନ୍ଦ୍ରଶେଖର
ଜୟ ମା କାତ୍ୟାୟନୀ ।
ତୁମ ପାଦରେ ଏତିକି ଅଳି
କୃପା ନୟନେ ଚାହିଁ
ତମସା ନାଶି ଆଲୋକ ଢାଳ
ବିଶ୍ଵ ମଙ୍ଗଳ ପାଇଁ ।