ଡଙ୍ଗା
ଡଙ୍ଗା
ଡଙ୍ଗା ଚଳେ ସରୋବରେ
ସରିତ, ସାଗରେ,
ଗମନ, ପରି- ବହନ,
ବଣିଜ,ବେପାରେ,
ପ୍ରାଚୀନ ଉତ୍କଳ ଦୂର-
ଦେଶ କାରବାର,
ଓଡ଼ିଆ ବଣିକ ଥିଲେ
ବିଶ୍ଵେ ପାରିବାର।
ବୋଇତ ବନ୍ଦାଇ, ଯାଇ
କାର୍ତ୍ତିକର ଶେଷେ,
ଆଷାଢେ ଆସନ୍ତି ଫେରି
ବରଷାର ମାସେ,
ଜାଭା, ସୁମାତ୍ରା, ବୋର୍ଣ୍ଣିଓ,
ବାଲି ଦ୍ଵୀପ ଯାଇ,
ସ୍ୱଦେଶକୁ ଧନ ରତ୍ନ
ଆଣୁ ଥିଲେ ବହି।
ଉତ୍କର୍ଷ କଳାର ଦେଶ
ଥିଲା ଏ ଉତ୍କଳ,
ସମଗ୍ର ସଂସାରେ କଳା
ତାହାର ବିରଳ,
ସଂସ୍କୃତି, ପ୍ରଗତି ବିଶ୍ଵେ
ନାହିଁ ପଟାନ୍ତର,
ବନ୍ଧୁ ଗୁଣେ,ବୀର ପଣେ
ଜଗତେ ଖାତର।
ବଦଳି ଗଲାଣି ଆଜି
ବୋଇତର ରୂପ,
ସ୍ମୃତିର ଚାରଣ ମାତ୍ର
କାର୍ତ୍ତିକେ ସ୍ୱରୂପ,
ନୂତନ ବନ୍ଦର ମାନ
ହେଲାଣି ନିର୍ମାଣ,
ଜାହାଜ ମାଳା ବନ୍ଦରେ
ହୁଅଇ ପୂରଣ।
ପାରାଦ୍ଵୀପ ଜାହାଜର
ଭେଳାରେ ଭରତି,
ଦେଶ ବିଦେଶ ଦରବ
କାରବାରେ ଗତି,
ବଣିଜ ବେପାର ଦେଶ
ବିଦେଶେ ସରସ,
ଓଡିଶାର କରାମତି
ସଂସାରେ ଆଦର୍ଶ।