STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ଦାରିଦ୍ର୍ୟ ଭଞ୍ଜନୀ ମାଗୋ କମଳିନୀ

ଦାରିଦ୍ର୍ୟ ଭଞ୍ଜନୀ ମାଗୋ କମଳିନୀ

1 min
220


ନମସ୍ତେ ନମସ୍ତେ ଲକ୍ଷ୍ମୀ ଠାକୁରାଣୀ

   ଦାରିଦ୍ର୍ୟ ଭଞ୍ଜନୀ ମାଗୋ କମଳିନୀ 

ପାଦ ପଦ୍ମେ ତୁମ କରୁଛି ମାଗୁଣି

  ସଦୟ ହେବ ଗୋ ଡାକ ମୋର ଶୁଣି।


ତୁମେ ମାଆ ଅନ୍ନପୂର୍ଣ୍ଣା ମହାଲକ୍ଷ୍ମୀ

    ମହାପ୍ରଭୁ ଜଗନ୍ନାଥ ତୁମ ସ୍ୱାମୀ 

କୃପାରେ ତୁମର ସଂସାରେ ଜନମି

   ଧନେ ଜ୍ଞାନେ ଜନ ହୁଏ ପରାକ୍ରମୀ।


ତୁମେ ଦୟାମୟୀ ଜଗତ ଜନନୀ

   ସବୁରି କଲ୍ୟାଣେ କଲ୍ୟାଣକାରିଣୀ 

ସୁଖ ଶାନ୍ତି ଦାତ୍ରୀ ଅଭୟଦାୟନୀ

   ବିଶ୍ଵ ହିତେ ତୁମେ ମଙ୍ଗଳକାରିଣୀ।


କେ ବର୍ଣ୍ଣି ପାରିବ ତୁମର ମହିମା

   ତୁମେ ସାଗର ଦୁଲଣୀ ରାଜଜେମା 

ତୁମ କରୁଣାର ନାହିଁ ଶେଷ ସୀମା

     ବିଶ୍ଵର ପ୍ରକୃତି ତୁମରି ସୁଷମା।


ପବିତ୍ର ମନେ କରି ପୂଜା ଅର୍ଚ୍ଚନା

   ନିଃସ୍ଵ ଲଭେ ସର୍ବ ପାଏ ଯେ କରୁଣା 

ଶୁଣି ତୁମେ ମାଗୋ ସବୁରି ପ୍ରାର୍ଥନା

     ପୂରଣ କରି ଦିଅ ମନସ୍କାମନା।


ପୂଜି ତୁମକୁ ସେ ଶ୍ରୀୟା ଚଣ୍ଡାଳୁଣୀ

   ଧନଧାନ୍ୟ ପୁତ୍ରେ ହେଲା ରାଜରାଣୀ 

ତୁମେ ସର୍ବଜନର ଦୁଃଖନାଶିନୀ

   ତୁମେ ଐଶ୍ୱର୍ଯ୍ୟ ପ୍ରାଚୁର୍ଯ୍ୟ ପ୍ରଦାୟିନୀ।


ସ୍ଵୟଂ ପ୍ରଭୁ ଜଗନ୍ନାଥ ବଳଭଦ୍ର

    ତୁମକୁ କରିବାରୁ ଯେ ଅନାଦର 

ବାର ବର୍ଷ ହେଲେ କାଙ୍ଗାଳ ଦରିଦ୍ର

   ତାଙ୍କ ଅହଂଭାବ ହେଲା ଛାରଖାର।


ଜଗତ ଜାଣିଲା ତୁମର ପ୍ରଭାବ

   ତୁମେ ଯେ ସର୍ବସ୍ଵ ଐଶ୍ୱର୍ଯ୍ୟ ବିଭବ 

ତୁମ ପାଇଁ ସଚରାଚର ଏ ଭବ

     ନିର୍ମଳ ପବିତ୍ର ତୁମର ସ୍ଵଭାବ।


ମାର୍ଗଶୀର ମାସ ଗୁରୁବାର ଦିନ

    ତୁମକୁ ପୂଜଇ ଯିଏ ପାଏ ପୂଣ୍ୟ 

ସୁଦଶାରେ ତୁମ ବ୍ରତର ପ୍ରାଧାନ୍ୟ

   ଦିଏ ଯିଏ ହୁଏ ତା' ଜୀବନ ଧନ୍ୟ।


ତୁମ ପାଶେ ନାହିଁ କିଛି ଭେଦାଭେଦ

    ଜାତି ଧର୍ମ ବର୍ଣ୍ଣ ସବୁରେ ଦରଦ 

ନିରପେକ୍ଷ ହୋଇ ଦିଅ ଯେ ଆନନ୍ଦ

   ସୁଖେ ରଖ ତୁମେ ଘୁଞ୍ଚାଇ ବିପଦ।


ତୁମ ଶରଣରେ ଶାନ୍ତ ରହେ ପ୍ରାଣ

   ପ୍ରଣମେ ଚରଣେ ଦିଅ ଗୋ ଶରଣ 

ଆଶିଷର କରୁଣା କର ପ୍ରଦାନ

    ସୁଖେ ବିତୁ ସର୍ବଜନଙ୍କ ଜୀବନ।


ଜୟ ମାଗୋ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ

   ଦୁଃଖ ଯେତେ ଦୂର କର ପଦ୍ମାସନୀ 

ଦାରିଦ୍ର୍ୟ ଭଞ୍ଜନୀ ମାଗୋ କମଳିନୀ

   ଦୟାରେ ତୁମର ହସୁ ଏ ଧରଣୀ।

    



Rate this content
Log in

Similar oriya poem from Inspirational