ଚୁଡ଼ି
ଚୁଡ଼ି
ସଧବାର ଚିହ୍ନ ନାରୀର ଭୂଷଣ
ଅଟେ ପରମ୍ପରା ମତେ
ଯୁଗେଯୁଗେ ପରା ରହିଛି ଅକ୍ଷତ
ରହିଛି ରହିବ ସତେ।
ରଙ୍ଗ ବେରଙ୍ଗର ଭିନ୍ନଭିନ୍ନ ନାମେ
ଶଙ୍ଖାରି ହାତରେ ଗଢା
କିଏ କହେ ଚୁଡି କିଏ କହେ ଶଙ୍ଖା
ସଭିଙ୍କର ହୁଏ ଲୋଡା।
ଦେବୀ ମନ୍ଦିରରେ ଶଙ୍ଖା ଭାବେ ପରା
ହୁଅତ ତୁମେ ପୂଜିତ
ସଧବା ନାରୀର ହାତେ ଶୋଭାପାଅ
ଅହ୍ୟ ସୁଲକ୍ଷଣୀ ସେତ।
ବିବାହ ବେଦିରେ କନ୍ୟା ହାତେ ତମେ
ନାଲି ଚୁଡି ଭାବେ ଉଭା
ପୁରନ୍ତା ହାତରେ ସିନ୍ଦୂର ମଥାରେ
ସଜାଇ ଥାଏ ସେ ଗଭା।
ନାରୀଙ୍କ ଆଦର ଥାଏ ତମ ପରେ
ବାଳୁତ କାଳରୁ ସହି
କନ୍ୟା ହାତ ଖାଲି ଦେଖନ୍ତିନି ପରା
ପରିବାର ଅନ୍ୟ କେହି।
ନାରୀ ହାତେ ତୁମେ ଶୋଭା ପାଉଥିଲେ
ନାରୀ ତ ସମ୍ମାନ ପାଏ
ଯେଉଁ ଦିନ ତୁମେ ତା ହାତରୁ ତୁଟ
ଜଗତ ବିଧବା କହେ।
ସୁବର୍ଣ୍ଣ କଙ୍କଣ ଲୋଡା ପଡେ ନାହିଁ
ତୁମେ ଯେବେ ତାହା ହାତେ
ସଧବା ପାଇଁ ତ ପାଣିଚୁଡି ଶଙ୍ଖା
କୋଟି ଅମୂଲ୍ୟ ମରତେ।
ମୂଲ୍ୟ ତୁମ କେହି କଳନା କରେନି
ହିନ୍ଦୁ ରମଣୀର ପାଇଁ
ତୁମେ ଯେବେ ତାର ହାତରେ ତ ଥାଅ
ସୌଭାଗ୍ୟବତୀ ବୋଲାଇ।
ଯୁଗ ପରେ ଯୁଗ ବିତିଯିବ ସିନା
ବଦଳିବୁନି ତୁ କେବେ
ତୋ ଗୁଣ ଗାରିମା ବଖାଣିବା ପାଇଁ
ଜନମ ହେଇନି ଭବେ।