ଚକ୍ରବ୍ୟୂହ
ଚକ୍ରବ୍ୟୂହ
କାହାର ଜୀବନ ଯଦି ନାଟକୀୟ ହୁଏ
ସତରେ
ଅପର ପାଇଁ ସେ କେତେ ଉପଭୋଗ୍ୟ ହୁଏ !
କେହି କେବେ ବୁଝେନା ସେ ନାୟକ ନାୟିକାର
ଗଣ୍ଡଦେଶେ ଲାଗିଥିବା ଲହୁ ଓ ଲୁହର ଶୁଖିଲା ଯନ୍ତ୍ରଣା
କାହାକୁ ଦିଶେନା ସେ ମନ ତଳେ ଲେଖା ଥିବା ଅବ୍ୟକ୍ତ ବେଦନା
ଓ ଘଟି ଯାଇଥିବା ଘୂର୍ଣ୍ଣିବାତ୍ୟାର ନିଷ୍ଠୁର ପ୍ରହାର
ବାସ୍ ଅଜସ୍ର ସମବେଦନା ଗଦା ଗଦା ସମାଲୋଚନା
ଓ କୁଢ଼ କୁଢ଼ ଅତିରଞ୍ଜିତ ପର୍ଯ୍ୟାଲୋଚନା ଭିତରେ
ସେ ନାଟକ ଅଧିକରୁ ଅଧିକ ବିପର୍ଯ୍ୟସ୍ତ ହୁଏ
ସତରେ
ଏ ନାଟକ ସବୁ କେମିତି ଏତେ ଉପଭୋଗ୍ୟ ହୁଏ !
ବୁଝା ପଡେନା ବେଳେ ବେଳେ କାହିଁକି ଯେ ଏମିତି
କା ଘରର କଳିରେ ଆମ କାହିଁ ଏତେ ପ୍ରୀତି
କାଦୁଅ ଗୋଡ଼ରେ ଲୋକେ ଖୋଜି ବସନ୍ତି
ଆଉ କା'ର କାନ୍ଥରେ ଲାଗିଥିବା ଧୂଳି ମାଟି ଦାଗ
ସତରେ ଯେମିତି ସଭିଏଁ ଏଠାରେ
ଗୋଟାପଣେ ଜଣେ ଜଣେ ଖାଣ୍ଟି ଭଦ୍ରବ୍ୟକ୍ତି
କାହିଁକି କେଜାଣି ଆମର ଏମିତି ଗୋଟିଏ ମନ
ଆମେ ପଡୋଶୀର କଂସା ଶବ୍ଦରେ ଖୋଜି ନେଉ
ନିଜ ପାଇଁ ବେଳାକର ନିଶ୍ଚିତ ମନୋରଞ୍ଜନ।
ଆଜିକାଲି ବି କାହିଁକି କେଜାଣି
ଏ ଘରକଳି ଗୁଡ଼ା ଦାଣ୍ଡ କବାଟ ଡେଇଁ ବାଟରେ ଗଡନ୍ତି
କାହିଁକି କେଜାଣି ଲୋକହସା ହେବାର
ଏ ବୈଶ୍ୟିକ ପ୍ରତିଯୋଗିତା
ସମାଜ ଆଗରେ ଏ ଆତ୍ମ ପ୍ରଦର୍ଶନର କାହିଁ ଏ ତୁଚ୍ଛା ଅନୁରକ୍ତି
କଣ ଖୋଲିଯିବ ସମାଧାନ ଏମିତି ଏ ହାଟରେ ବାଟରେ !
ନା ସମାଜ କେବେ ସମସ୍ୟାର ସମାଧାନ କରେ
ନା କେଉଁ ବ୍ୟକ୍ତି ବିଶେଷର ଦୁଃଖ ବୁଝିପାରେ
ସେ କେବଳ ଲେଖିପାରେ କଳଙ୍କର ଚିତା ସମୟ ପୃଷ୍ଠରେ
ଗଢ଼ିପାରେ ଚର୍ଚ୍ଚାର କୋଣାର୍କ ଭିଡ଼ କୋଳାହଳେ
ସେପଟେ କେହିଜଣେ ଅଭିମନ୍ୟୁ ଶରବିଦ୍ଧ ହୁଏ
ଏମିତି ଏ ଲୋକହସା ତର୍କ ବିତର୍କର ଚକ୍ରବ୍ୟୂହରେ।