ଚକାଡୋଳା ଚିକ୍କଣ କଳା
ଚକାଡୋଳା ଚିକ୍କଣ କଳା


ଚଉବର୍ଗ ଦାନୀ ଶିରିକ୍ଷେତ୍ର ମଣି,
ଦରଶନେ ତାଙ୍କ ନକର ହେଳା l
ସାଗର ମନ୍ଥନେ କମଳା ଲଭିଲେ
କାଟି ପକାଇଲେ ରାହୁର ଗଳା l
ମୋହିନୀ ରୂପରେ ମୋହ କଲେ ପୁଣି
ପଛେ ଗୋଡ଼ାଇଲେ ଶଙ୍କର ଭୋଳା l
ସତ୍ୟ ଯୁଗେ ଧ୍ରୁବ ତପ ଆଚରିଲା
ସ୍ଥାନ ଦେଲ ତାକୁ ନକ୍ଷତ୍ର ମେଳା l
ପ୍ରହଲ୍ଲାଦ ତପ ବିହିଲ ସନ୍ତାପ,
ହିରଣ୍ୟ ଅନ୍ତରେ ପିନ୍ଧିଲ ମାଳା l
ତ୍ରେତୟାରେ ପ୍ରଭୁ ସାଗର ବକ୍ଷରେ
ପଥର ପକାଇ ବାନ୍ଧିଲ ଭେଳା l
ଅହଲ୍ୟା ତାରଣ ସୀତା ଉଦ୍ଧାରଣ
ଲଙ୍କା ଜାଳିଦେଲେ ପବନ ବଳା l
ଦ୍ୱାପର ଯୁଗରେ ଜନ୍ମି ଗୋପପୁରେ
&nbs
p;ଗୋପାଳଙ୍କ ସଙ୍ଗେ କରିଲ ଖେଳା l
ଇନ୍ଦ୍ରଙ୍କ ବିବାଦେ ମନ୍ଦର ଟେକିଲ
ମାରି ପକାଇଲ ନିଜ ମଉଳା l
କୁରୁସଭା ତଳେ ପାଞ୍ଚାଳୀ ବିକଳେ
କୋଟି ବସ୍ତ୍ର ଦେଲ ନକରି ହେଳା l
ଚକ୍ର ଉହାଡ଼ରେ ପାଣ୍ଡବେ ରଖିଲ
ନାଶ ଗଲେ ଶହେ ଅନ୍ଧର ବଳା l
ପ୍ରଭୁ ବ୍ରହ୍ମରାଶି ନୀଳାଚଳେ ବସି
କରୁଛନ୍ତି ରଥ ଯାତରା ଲୀଳା l
ଭକତ ବତ୍ସଳା ଭକ୍ତ ଭାବ ଭୋଳା
ପଦ୍ମପାଦେ ଦାସ ଶରଣ ଗଲା l