ଚିତ୍ର
ଚିତ୍ର
ଚିତ୍ର ଟିଏ ଆଙ୍କିଦେବା
ଭାରି ସହଜ ହେଇପାରେ,
ହେଲେ ସେଥିରେ ରଙ୍ଗ ଭରିବା
ହୁଏତ ଅନେକ ଙ୍କୁ ପସନ୍ଦ ନଥାଇ ପାରେ।
ମାଇଲ ମାଇଲ ସଞ୍ଜ ମାନଙ୍କୁ
ବହୁତ ପଛରେ ପକେଇ,
ମୁଁ ଲୁଚି ଲୁଚି ଆଙ୍କେ ଗୋଟେ ଚିତ୍ର।
ମୋର ଲୁଚିବା ଟା କେବେ ଆତଙ୍କ;
ତ ଆଉ କେବେ ଲୋକହସା ହେବାର
ବାସ୍ତବତା ର ସତେଜ ଚେଙ୍କ।।
ଭୋକ ବୋଲି ଗୋଟେ
ଚିତ୍ର ମୁଁ ନିଇତି ସ୍ୱପ୍ନ ରେ ଦେଖେ!
ଯେମିତି ସିଏ କହେ
ମୋତେ ଆଙ୍କିବା ଲୋକ କୁ
ମୁଁ ଚିହ୍ନେନା, ହେଲେ ମୋର ସବୁଠୁ ବଡ଼ ଦୁଃଖ
ସିଏ ମୋ ଦେହରେ ରଙ୍ଗ ଭରି ପାରିଲା ନାହିଁ।।
ରଙ୍ଗ ଭରିବା ଠାରୁ
ବାଛିବା ଭାରି କଷ୍ଟ ଲାଗେ
କିଛି ସତ ର ଗୁଣ୍ଡ କୁ ମିଛ ର ମଶିଣା ରେ
ବିଞ୍ଚିଦେଇ ମୁଁ ଏପାଖ ସେପାଖ
ଅସହାୟ ପରି ଖୁବ୍ ଜୋରରେ ଚିତ୍କାର କରେ,
ଗୁହାରି କରେ ରଙ୍ଗ ଟିଏ ବାଛିଦେବା ଲାଗି।।
କିଏ କେଜାଣି
କାନ ପାଖେ ଆସି କହିଯାଏ
"ନିଆଁ" ରଙ୍ଗ ଅଛି। ପାରିବୁ ଯଦି
ଭରିଦେବୁ ଭୋକ ଦେହରେ।
ଦୂରରୁ ଭଲ ଦିଶିବ, ଭଲ ମୂଲଚାଲ ବି ହେବ
କାହିଁକି ନା ରଙ୍ଗ ବାଛିବା ର
ମୂଳ ଲକ୍ଷ୍ୟ ତ ଭୋକ ନା.....।।
ନିଆଁ କ'ଣ ଗୋଟେ
ରଙ୍ଗ ହେଇପାରେ!
ନିଆଁ ଜଳିଲେ ଖାଲି ତାତି ଜନ୍ମେନି
ସେଠି ଆଞ୍ଜୁଳା ଆଞ୍ଜୁଳା ଅନ୍ଧାର
ନିରବ ରେ ଆଣ୍ଠେଇ ପଡ଼ନ୍ତି
ଧୂଳି ଧୂସରିତ ଧାସ ସବୁ ଝାସ ଦିଅନ୍ତି
ପାଣି ପାଣି ବୋଲି ଚିତ୍କାର କରନ୍ତି।।
ହଠାତ୍ ମୋ
ସ୍ୱପ୍ନ ମାନଙ୍କ ଦେହରୁ ସିଲେଇ ଫିଟିଯାଏ!
କିଛି ଅଭିମାନ ର ଦାଗ
ତୃଷ୍ଣା ଦେଇ ତୃପ୍ତି ରେ ମିଶିଯାଏ
ଆଉ ଭୋକ ସେମିତି ଫୁଙ୍ଗୁଳା ହେଇ
ରହିଥାଏ;
ହେଲେ ପ୍ରଶ୍ନ ଟିଏ ରହିଯାଏ!
ଭୋକ ର ତ ଦେହ ଅଛି, ପୁଣି ସିଏ
ଜିଇଁବା ପାଇଁ ଦେହ ଖୋଜେ କାହିଁକି?