ଛୋଟବଡ଼
ଛୋଟବଡ଼
ଛୋଟ ହୁଏ ବଡ଼ ପ୍ରକୃତିର ରୀତି
ଜୀବନଟା ଥିବାଯାଏ,
ଜୀବ ଚାଲିଗଲେ ଛୋଟବଡ଼ କଥା
ପ୍ରକୃତିରେ ଲୁଚିଯାଏ ।୧ ।
ମାତୃଗର୍ଭ ସିନା ଛୋଟର ଆରମ୍ଭ
ଉଦ୍ଭିଦ କିଅବା ପ୍ରାଣୀ,
ଛୋଟ ସଂରଚନା ବୃହତ ଭାବନା
ସଂସାର ଦେଇଛି ବୁଣି ।୨ ।
ଛୋଟ ଛୋଟ ବୋଲି ସମସ୍ତେ କହନ୍ତି
ଛୋଟରେ ବଡ଼ ସନ୍ଧାନ,
କଳି ପାରିବ କି ଛୋଟ ପରିମାପ
ଛୋଟର ସୀମା ବନ୍ଧନ ! ୩ ।
ଦିନେ ଛୋଟ ଯିଏ କାଲି ହୁଏ ବଡ଼
ଅନନ୍ତ ଶକତି ଉତ୍ସ,
ସନେହ ମମତା କ୍ଷୁଦ୍ର ଥାଏ ସିନା
ବୃହତ ତାହାର ଲକ୍ଷ୍ୟ ।୪ ।
ଦେଖିବାକୁ ସିନା ବୟସ ଆକାର
ଆଖିରେ ହୁଅଇ ଛୋଟ,
ଗୁଣ ମୂଲ୍ୟବୋଧ ଆଦର ସେନେହ
ସବୁତ ନୁହଇ ଛୋଟ ।୫ ।
ଜ୍ଞାନ ରୂପି ଧନ ସଂସାରରେ ବଡ଼
ତୁଳନା କେ କରିପାରେ,
ଧନ ଚୋର ନିଏ ଜ୍ଞାନ ମାନ ରଖେ
ସମ୍ମାନକୁ ଜଗିପାରେ ।୬ ।
ଦ୍ବିପତ୍ର ତୁଳସୀ ବାସକୁ ଛୁଟାଏ
ଛୋଟ ପୁଣି ମଲ୍ଲୀଫୁଲ,
ବାସହୀନ ସେହି ପଲାଶ ଫୁଲଟା
କେ କରେ ତା ସାଥେ ତୁଲ ।୭ ।
ଛୋଟ ଶିଶୁ ମୁଖେ ସତ୍ଯ ଶାନ୍ତି ଦୟା
ଅମୂଲ ମୂଲ ତା ହସ,
ସେ ହସେ ଲୋଟଇ ହୃଦୟର ଦୁଃଖ
ସୁଖ ହୁଏ ପରକାଶ ।୮ ।
ପ୍ରକୃତି କୋଳରେ ଛୋଟ ହୋଇ ବଡ଼
ପ୍ରକୃତି ବଦଳିଯାଏ,
ଖଳେ ମିଶି ଖଳ ସାଧୁ ଦିଏ ବଳ
ପରିବେଶ ଖେଳୁଥାଏ ।୯ ।
ବଡ଼ କହେ ଯାହା ଯଦି ବା କରନ୍ତା
ତାହାର ପ୍ରତିପାଳନ ,
ଏ ସଂସାର ଗୋଟା ବୈକୁଣ୍ଠ ହୁଅନ୍ତା
ଛୋଟବଡ଼ଙ୍କ ସଂସ୍ଥାନ ।୧୦ ।
