ଛିନ୍ନ ବୀଣାର ସ୍ୱର
ଛିନ୍ନ ବୀଣାର ସ୍ୱର
ପୂର୍ଣ୍ଣିମାର ଚାନ୍ଦ ଦେଖି
ମୁଠାଏ କିରଣ
ଭଙ୍ଗା କୁଟୀର ରେ,
ବୁଣି ଦେବାର ଅଭିପ୍ରାୟ
କଲି ବାରମ୍ବାର,
ଲୁହ ଲହୁରେ ତିନ୍ତି ଯାଇ
ଘରକୁ ଉଷୁମ ରଖିବା ପ୍ରୟାସ
ଅଭିନନ୍ଦିତ କରୁ ଥାଏ
ହୃଦୟକୁ ମୋର,
ନିଜର ରୁଧିର ମାଂସ ଦେଇ
ଗଢ଼ିଲି କଣ୍ଢେଇ
ଆତ୍ମ ବଳିଦାନେ,
ଜୀବନ ସଂଗ୍ରାମେ ସଜାଇ
ନଚାଇବି ବିବିଧ ଭଙ୍ଗୀରେ,
କିନ୍ତୁ, ହାୟ !
ସେ ଆଜି ନାଚୁଛି
ନିଜ ଇଚ୍ଛା ମତେ,
ଆଜି ମୁଁ ପାରୁଛି ଜାଣି,
ଜୀବନ ସଂଗ୍ରାମ କରେ ଯାହାପାଇଁ
ସେ ହୁଙ୍କାରେ "ଯୁଦ୍ଧ° ଦେହି "
ନିଜର ଲୁହକୁ
ନିଜେହିଁ ପିଉଛି,
ନିଜ ଦୀପାଳିରେ
ନିଜେ ହିଁ ଜଳୁଛି,
ଉଦ୍ଧତ କୀଟ ପ୍ରାୟେ
ଗୋଲାପ ତୋଳିବା
ଭାଗ୍ୟ ମୋର ବଦଳିଲା
କଣ୍ଟକର କ୍ଷତ ବିକ୍ଷତ ହୋଇ,
ମନର କୋମଳ ତନ୍ତ୍ରୀଟି ଛିଣ୍ଡି
ବାଜୁଛି ଆଜି
ବେସୁରା ରାଗିଣୀ ହୋଇ ll