ଛାଇ
ଛାଇ
ହେ ମୋର ଶରୀରର ଛାଇ!
ତୁମେ ମୋର ଅତି ଆପଣାର।
ତୁମ ଭିତରେ ମୁଁ ଦେଖେ ମୋ ଭିତର ରୂପ,
ମୋ ଭିତର ପାପ ପୂଣ୍ୟ ଭଲ ଆଉ ମନ୍ଦ।
ଆଲୋକର ସାଥି ତୁମେ,
ପ୍ରତିଭାତ ହୁଅ ସଦା ତୁମେ ଆଲୋକରେ।
ଅନ୍ଧାର ଲାଗେନା ଭଲ,
ଅନ୍ଧାରଠୁ ରୁହ ତୁମେ ଅନେକ ଦୂରରେ।
ଶୁନଶାନ୍ ନିଛାଟିଆ ଖରାବେଳେ,
ଦୁନିଆଁ ନିଦରୁ ଉଠି ଯେତେବେଳେ କଡ ଲେଉଟାଏ,
ସେତେବେଳେ ତୁମେ ଏକା ଥାଅ ମୋ ପାଖରେ।
ଯେଣୁ ତୁମେ ଏକାନ୍ତ ନିଜର,
ତୁମ ସାଙ୍ଗେ ମନ ଖୋଲି ଗପିବାକୁ ଭାରି ଇଛା ହୁଏ।
କିନ୍ତୁ?
ହେ ସତ୍ୟର ପୂଜାରୀ, ଆଲୋକର ସଖା!
ଯେଣୁ ତୁମେ ଜାଣନା ଛଳନା,
ଲାଗେ ମୋତେ ଡର।
କାଳେ ତୁମେ ଖୋଲିଦେବ ମୋ ଭିତର ଅନ୍ଧକାର କୋଠରୀକୁ,
କାଳେ ତୁମେ କହିଦେବ ମୋ ମନର ଗୋପନ କଥାକୁ,
ବରଷ ବରଷ ଧରି ଯାହା ମୁଁ ସାଇତି ଅଛି,
ଦୁନିଆଁର ଆଖି ଆଢୁଆଳେ।।
ସମାଜ ଆଖି ଆଗରେ,
ଧରା ପଡିଯିବ କାଳେ ମୋର ଛଦ୍ମବେଶ।
ଲଖ୍ମଣ ରେଖାକୁ ଡେଇଁ ,
ପର୍ଣକୁଟୀର ମଧ୍ୟରୁ କାଳେ ଆଉ ଆସିବେନି ଜନକ ଦୁଲଣୀ।
ଫେରିବାକୁ ହେବ କାଳେ ମୋତେ ରିକ୍ତ ହସ୍ତେ,
ଶୁନ୍ୟ ପୁଷ୍ପକ ବିମାନେ ଲଙ୍କା କଟକକୁ।
ଅନ୍ଧକାର ସାଥେ ଆଜି ଖେଳି ବୋହୂଚୋରି,
ଲୁଚିବାକୁ ଚାହୁଁଛି ମୁଁ ତା ସାହାରାରେ।
ତେଣୁ ମୁଁ ତୁମକୁ ଡରେ,
ତୁମ ସାଥେ ଖୋଲାଖୋଲି ଗପିବାକୁ ଭୟକରେ।
କିନ୍ତୁ ଆଜି?
ଥକି ପଡିଲିଣି ମୁହିଁ ଖେଳି ଖେଳି ଲୁଚକାଳି ଖେଳ।
କେତେ ଅଭିନୟ କରି ଠକିବି ନିଜକୁ?
ହେ ମୋର ଅନ୍ତରଙ୍ଗ, ହେ ମୋର ଛାଇ!
ମୋ ମନର ଅନ୍ଧକାର କୋଠରୀରୁ,
ମୋତେ ତୁମେ ହାତଧରି ଆଲୋକକୁ ଆଣ,
ତୁମର ସେ ସଖା ଆଉ ସହଚର ପାଶେ।
କରିଦିଅ ମୋତେ ତୁମେ ଆଲୋକର ସାଥି।
ଆଉ ଖୋଜିବାକୁ ନ ହେଉ ମାୟା ମିରୀଗକୁ,
କରିବାକୁ ଜାନକୀ ହରଣ।
ଖେଳିବାକୁ ନ ପଡୁ ନିଜ ସାଥେ ଆଉ ଲୁଚକାଳି।
ତାହେଲେ ମୁଁ ଆଉ ଡରିବିନି,
ଆଖିରେ ଆଖି ମିଶେଇ,
ନିଛାଟିଆ ଖରାବେଳେ,
ହସି ହସି ତୁମ ସାଥେ ଗପୁଥିବି ବରଷ ବରଷ।