ଚାଲିବ ସଡ଼କ ଦେଖି
ଚାଲିବ ସଡ଼କ ଦେଖି
କୁନା ଯାଉଥିଲା ସ୍କୁଲ୍ କୁ ସହଳ
ନୂଆ ସାଇକେଲ ଚଢ଼ି,
ଟ୍ରାଫିକ ଛକରେ ଦେଖିଲା ସେପଟୁ
ଟ୍ରକ୍ ଟେ ଆସୁଛି ମାଡ଼ି ।
ଆଗରେ ଦେଖିଲା ବୁଢ଼ା ମଉସାଟି
ଚାଲୁଥିଲା ଥିରି ଥିରି,
ରାସ୍ତା ପାରିହେବ କେମିତି ଭାବୁଛି
ବଙ୍କୁଲି ବାଡ଼ିଟି ଧରି।
ସାଇକେଲ ଛାଡ଼ି ଟ୍ରକ୍ ଚାଳକକୁ
ହାତ ଦେଖେଇଲା କୁନା ,
ଈଶାରା କରିଲା ରହିଯାଆ ଟିକେ
ଆଗକୁ ଆଉ ଆସନା ।
ଟ୍ରକ୍ ଚାଳକଟି କିଛି ନଶୁଣିକି
ଆଗକୁ ଆସିଲା ମାଡ଼ି ,
ସାଇକେଲ ଛାଡ଼ି କୁନା ବୁଢ଼ାଟିର
ହାତକୁ ଆଣିଲା ଭିଡ଼ି ।
ଛିଟିକି ପଡ଼ିଲେ ଦୁଇ ଜଣଯାକ
ରାସ୍ତାକଡ଼ ଧୂଳିପ'ରେ,
ଟ୍ରକ୍ ଚଢ଼ିଗଲା କୁନା ସାଇକେଲ
ପଡ଼ିଥିଲା ଯେଉଁଠାରେ।
ସାଇକେଲ ପଛେ ଭାଙ୍ଗି ଗଲେ ଯାଉ
କୁନାର ନଥିଲା ଡର ,
ବୁଢ଼ା ମଉସାକୁ ବଞ୍ଚେଇ ଥିବାରୁ
ପ୍ରଭୁଙ୍କୁ କଲା ଜୁହାର।
ହାତ ଧରି କୁନା ବୁଢ଼ା ମଉସାକୁ
ରାସ୍ତା ପାରି କରିଦେଲା,
ଖୁସି ହେଇ ବୁଢ଼ା କୁନାର ମୁଣ୍ଡକୁ
ସ୍ନେହରେ ଆଉଁସି ଦେଲା ।
କହିଲା ବାବୁରେ ଦେଖିକରି ଯିବୁ
ଭରସା ନାହିଁ ଛକରେ,
ପିତା ମାତାଙ୍କର ଆଶୀର୍ବାଦ ପାଇଁ
ବଞ୍ଚିଲେ ଆମେ ଆଜିରେ ।
ବୁଢ଼ା ଚାଲିଗଲା ନିଜର ପଥରେ
ନୁଆଁଇ ତାହାର ମଥା ,
ସ୍କୁଲ୍ କୁ ନଯାଇ ଫେରିଯାଇ କୁନା
କହେ ଘରେ ଏହି କଥା।
ନିଆସୀ ବୁଢ଼ାକୁ ବଞ୍ଚାଇବା କଣ
ଭୁଲ୍ ମୋର ହୋଇଛି କି ?
ନୂଆ ସାଇକେଲ ଭାଙ୍ଗିଗଲା ବୋଲି
ମୋ ଉପରେ ରାଗିଲ କି ?
ବାପାମାଆ ଦୁହେଁ କୁନାକୁ କୁଣ୍ଢେଇ
କାନ୍ଦିଲେ କି, ଆନନ୍ଦରେ ,
କହିଲେ ବାବୁରେ କେଡ଼େ ବଡ଼ ପୁଣ୍ୟ
କଲୁ ଆଜି ଜୀବନରେ।
ଅସାବଧାନତା ପାଇଁ ଆଜି ଜାଣ
ଜୀବନ ଯାଉଛି କେତେ,
ବଞ୍ଚାଇ ପାରେ ଯେ' ଗୋଟିଏ ଜୀବନ
କେଡ଼େ ମହାନ ସେ ସତେ !
କୁନା ପରି ପିଲେ ରାସ୍ତା ପାରି ବେଳେ
ଘୁରାଇବ ନିଜ ଆଖି ,
ଏପାଖ ସେପାଖ ଚାହିଁବ ନିରେଖି
ଚାଲିବ ସଡ଼କ ଦେଖି ।