ବ୍ୟଥା ଏମିତି ଆସେ
ବ୍ୟଥା ଏମିତି ଆସେ
ଜହ୍ନକୁ ମାଗିଲି ଜୋଛନା ଟିକିଏ
ଚାଲିଗଲା ମୋତେ ଛାଡି
ବାଆକୁ ମାଗିଲି ଫୁଲର ସୁରଭି
ତୋଫାନ ଆସିଲା ମାଡି I
ଦିନର ଆଲୁଅ ଦେଖିବା ପାଇଁକି
ଯେବେଳେ ଖୋଲିଲି ଆଖି
ଆଲୁଅ ବଦଳେ ଅନ୍ଧାର ଘୋଟିଲା
କିଛି ପାରିଲିନି ଦେଖି I
ଲୁହର ଠିକଣା ପାଇଗଲି ଯେବେ
କୋହରେ ଭରିଲା ଛାତି
ଆଖିଲୁହ ସବୁ ଓଠ ପିଇଗଲା
ଲୁଚିଗଲା ଜହ୍ନରାତି I
ମଳୟର ଛୁଆଁ ଖୋଜିଲା ହୃଦୟ
ମିଳିଲା ଛାତିଏ କୋହ
ମନ ଖୋଜୁଥିଲା ପ୍ରୀତିର ଫଗୁଣ
ମିଳୁଥିଲା ଖାଲି ଲୁହ I
କେମିତି କହିବି? ଜହ୍ନକୁ ଯେବେଳେ
ଦେଖିଲି ପୁରାଇ ଆଖି
ସିଝିଗଲା ମୋର କଅଁଳ ହୃଦୟ
କେହି ନଥିଲେ ମୋ ସାକ୍ଷୀ I