ବୁଦ୍ଧ ଅବତାର
ବୁଦ୍ଧ ଅବତାର
ଜରା ଯନ୍ତ୍ରଣା ଜନମ ମୃତ୍ୟୁ
ଜଞ୍ଜାଳ ମାୟା ଜାଲ
ଭାବ ଅଭାବ ଲାଭ ଲୋଭଯେ
ସଭିଙ୍କୁ ହୁଏ କାଳ ।
ଜନମ ସତ୍ୟ ମରଣ ସତ୍ୟ
ମିଛରେ ଏତେ ମୋହ
ଜାଣି ଅଜଣା ମଣିଷ ବଣା
ବଳେଇ ପଡେ କୋହ ।
କର୍ମ ତ ଏକା ଅଟଇ ଧର୍ମ
ଜୀବନ ପରିଭାଷା
ଦୁଃଖ କାରଣ ବାଦ ବିବାଦ
ସ୍ବାର୍ଥ ଯେ ଆଉ ହିଂସା ।
କର୍ମରେ ରଖ ଭରସା ସଦା
ଆଶା କରନି ଫଳ
ଜୀବନ ହେବ ସୁନ୍ଦର ସ୍ୱଚ୍ଛ
ସରଳ ଢଳଢଳ ।
ସୁଖ ସନ୍ଧାନ ଅମୃତବାଣୀ
ପ୍ରଚାର କଲେ ଯିଏ
କପିଳବାସ୍ତୁ ରାଇଜର ତ
ଯୁବରାଜ ଯେ ସିଏ ।
ଯୋଗୀ ହୋଇଲେ ପାଶୋରିଦେଇ
ରାଇଜ ରାଜସୁଖ
ମୋହ ମାୟାର ଘର ସ°ସାର
ଅସାର ଭରା ଦୁଃଖ ।
ଥିଲେସେ ଭୋଗୀ ହୋଇଲେ ତ୍ୟାଗି
ଶାନ୍ତି ସନ୍ଧାନ ପାଇଁ
ତମସା ଭରା କାଳ ବୁକୁରେ
ଆଲୋକ ରେଖା ହୋଇ ।
ଗଉତମ ସେ ବୁଦ୍ଧ ହୋଇଲେ
ଘୋର ତପସ୍ୟା ବଳେ
ସୁଖ ଶାନ୍ତିର ବାଟ ଦେଖାଇ
ଧରାକୁ ଧନ୍ୟ କଲେ ।
ବୈଶାଖ ମାସ ପୂର୍ଣ୍ଣିମା ଦିନ
ଜନ୍ମ ସେ ହୋଇଥିଲେ
ସେହି ବୈଶାଖ ପୂର୍ଣ୍ଣିମାରେ ସେ
ବୁଦ୍ଧତ୍ୱ ପ୍ରାପ୍ତ ହେଲେ ।
ବଉଦ୍ଧ ଧର୍ମ ସାରା ଜଗତେ
ପ୍ରଚାର ସେ ତ କଲେ
ପୁଣି ବୈଶାଖ ପୂର୍ଣ୍ଣିମାରେ ସେ
ଦେହ ତ ଛାଡିଥିଲେ ।
ତେଣୁ ବୈଶାଖ ପୂର୍ଣ୍ଣିମା ସେତ
ବୁଦ୍ଧ ପୂର୍ଣ୍ଣିମା ଖ୍ୟାତ
ସଂଘ ଶରଣ ବୁଦ୍ଧ ଶରଣ
ଜଗତ ଗାଏ ଗୀତ ।
ଆମ ଉତ୍କଳ ଧରମ ଭୂଇଁ
ପୁତ ପବିତ୍ର ମାଟି
ଚଣ୍ଡାଶୋକ ଯେ ଧର୍ମାଶୋକ
ହୋଇଲେ ଆସି ଏଠି ।
ଏଇ ମାଟିରେ ତରବାରୀ କୁ
ବର୍ଜନ ସେତ କଲେ
ବୌଦ୍ଧ ଧରମ ଗ୍ରହଣ କରି
ପ୍ରଚାର ତାର କଲେ ।
ଧଉଳି ଶିଳା ଲେଖରେ ସେହି
କାହାଣୀ ଲେଖା ଅଛି
ଧଉଳୀ ଶାନ୍ତି ସ୍ତୁପ ତ ଆଜି
ସେ ଗାଥା ଗାଉଅଛି ।
ଗୌତମ ବୁଦ୍ଧ ଶ୍ରୀଜଗନ୍ନାଥ
ଅଭିନ୍ନ ଆଉ ଏକ
ପ୍ରାଚୀନ ସାସ୍ତ୍ର ପୁରାଣେ ଅଛି
କଥାଟି ଉଲ୍ଲେଖ ।
କବି ଲେଖକ ମୁକ୍ତ କଣ୍ଠରେ
ଏକଥା କହିଛନ୍ତି
ନୀଳାଚଳରେ ବୁଦ୍ଧ ରୂପରେ
ପ୍ରଭୁ ଯେ ବସିଛନ୍ତି ।
ସେଇଥିପାଇଁ ବଡ଼ ଦେଉଳେ
ବୁଦ୍ଧ ପୂର୍ଣ୍ଣିମା ଦିନ
ପ୍ରଭୁ ଦର୍ଶନ ପାଇଁ ଉଚ୍ଛନ୍ନ
ଭକତ ଜନ ମନ ।
ଏଇ ଉତ୍କଳେ ରାଜା ତ ଥିଲେ
ଈନ୍ଦ୍ରଭୂତି ଯେ ସେତ
ସେ ଲେଖିଛନ୍ତି ଜ୍ଞାନ ସିଦ୍ଧି
ନାମରେ ଏକ ଗ୍ରନ୍ଥ ।
ସେହି ଗ୍ରନ୍ଥରେ ଏଇ କଥାଟି
ବର୍ଣ୍ଣନା ଅଛିହୋଇ
ଜଗନ୍ନାଥ ଯେ ବୁଦ୍ଧଙ୍କ ମୂଳ
ସର୍ବ ମଙ୍ଗଳ ସେହି ।
ବୁଦ୍ଧ ଯେ ସିଦ୍ଧି ବୁଦ୍ଧ ଯେ ବୁଦ୍ଧି
ବୁଦ୍ଧ ସେ ଆଦି ମୂଳ
ସତ୍ୟ ସାରଥି ଶାନ୍ତି ମୁକତି
ଜ୍ଞାନ ଆଲୋକ ବଳ ।
ବିଷ୍ଣୁଙ୍କରତ ଅବତାର ଯେ
ବୁଦ୍ଧ ସେ ଗଉତମ
ବୁଦ୍ଧଙ୍କ ବାଣୀ ହିନ୍ଦୁ ଧର୍ମର
ଅଟଇ ସାର ମର୍ମ ।
କଳିଯୁଗରେ ବୁଦ୍ଧଦେବ ଯେ
ଜଗନ୍ନାଥ ସ୍ୱରୂପ
ଅଧା ହାତରେ କୃପା ବିତରି
ଧୋଇ ଦିଅନ୍ତି ପାପ ।
ଭକତ କହେ ଦୀପଟି ଜାଳି
ହେ ବୁଦ୍ଧ ଜଗନ୍ନାଥ
ଭାରି ବିସମ ସଂସାର ହାଟ
ଦେଖାଅ ବାରେ ବାଟ ।