ବର୍ଷା ତୁମେ ଆସିଛ
ବର୍ଷା ତୁମେ ଆସିଛ
ତୁମେ ଆସିଅଛ ବାରିଦ ଦୋଳିରେ
ଜଗତହିତ ମନାସି
ଝର ଝର ତାନେ ଝରି ଅନର୍ଗଳେ
ସୁଖ ପରଷିଲ ଆସି ।
ଶୀତଳ ପବନେ ଦେହ ଶିହରଇ
ମନ ହୋଇଯାଏ ଖୁସି
ସତେ କି ଝରୁଛି ପ୍ରୀତି ର ବରଷା
ମୋତି ଝରା ହସ ହସି।
ସୂର୍ଯ୍ୟଦେବ ଲାଜେ ମୁହଁ ଲୁଚାଅନ୍ତି
ମେଘ ବାଦଲରେ ଯାଇ
ଶୁଷ୍କ ତରୁ ଲତା ପଲ୍ଲବୀ ଉଠନ୍ତି
ବରଷାର ଜଳ ପାଇ।
ନବ ବଧୂ ସାଜି ନାଲି ପାଟ ପିନ୍ଧି
ନାଚୁ ଛମ ଛମ ହେଇ
ଆପଣା ଇଛାରେ ପରଷି ଦେଉ ତୁ
ପ୍ଲାବିତ କରାଇ ମହୀ |
ଘଡ ଘଡି ନାଦେ ରୁଣୁ ଝୁଣୁ ତାନେ
ବିଜୁଳି ଚମକ ଦେଇ
ସଂସାର ହିତ ରେ ପ୍ରୀତି ସମ୍ଭାଷଣେ
ଝରୁ ଝର ଝର ହୋଇ |
ଚାଷି ମନ ଖାଲି ହୁଏ କନ କନ
କ୍ଷେତ କାମ କରିବାକୁ
ହଳ ଯୋଖି ଦେଇ ବଳଦ ର କାନ୍ଧେ
ଅଡ଼ାଇ ନିଏ କ୍ଷେତ କୁ |
ଏ ପଟେ ବେଙ୍ଗୁଲି ବେଙ୍ଗ ସହିତ ର
ଡେଉଁଥାଏ ଫକ ଫକ
କଟର ମଟର ଶବ୍ଦ ଶୁଣି ଶୁଣି
ଛାତି ହୁଏ ଧକ ଧକ |
ସାଧବାଣୀ ବୋହୁ ଥିରି ଥିରି ଚାଲେ
ନାଲିଆ ଫରକ ପିନ୍ଧି
ଧରିବାକୁ ଗଲେ ଧରା ସେ ଦିଏନି
ହାତେ ହୋଇଯାଏ ଛନ୍ଦି |
କଦମ୍ବ ଗଛରେ ଅଗଣିତ ଫୁଲ
ହୋଇଯାଏ ଖାଲି ଖୁନ୍ଦି
ମନଲୋଭା ଦିଶେ ରଙ୍ଗଣୀ ଫୁଲ ଓ
ହରଗୌରା ଫୁଲ ଫୁଟି|
ନାନା ପର୍ବ ଆଉ ପର୍ବାଣୀ ପଡଇ
ବର୍ଷାଋତୁ ଅବକାଶେ
ସୁଖ ସମ୍ଭାର ରେ ମହୀ ହସୁ ଥାଏ
ଆତ୍ମତୃପ୍ତି ପରକାଶେ |
ଧନ୍ୟ ତୁ ବରଷା ପ୍ରକୃତି ସରସା
କରୁଅଛି ନମସ୍କାର
ଏମିତି ଆସୁ ଥା ଜଗତ ହିତ ରେ
କରିବାକୁ ଉପକାର |