ବରଷା କାଳ
ବରଷା କାଳ
ନିଦାଘର ଶେଷେ ବାରିଦ ପରଶେ ଧରା ହୁଏ ପ୍ରୀତିମଗ୍ନ।
ନଇବେଦ୍ୟ ଢାଳେ ଉଲ୍ଲାସ ହିଲ୍ଲୋଳେ ପ୍ରକୃତି ବଜାଏ ବୀଣା ।
ଗଗନ ମଣ୍ଡକ ଉଦ୍ଦାମ ପ୍ରବଳ ଘନ ପୁଷ୍ପ ବୃଷ୍ଟି ଦେଖି
ଚପଳା ଚଞ୍ଚଳା ଆନନ୍ଦ ମେଖଳା ବସୁନ୍ଧରା ପ୍ରୀତି ଚାଖି ।
ମହିୟସୀ ମହୀ ସଦ୍ୟ ଶୁଦ୍ଧ। ହୋଇ କବରୀ ରଂଜିତେ ଲିପ୍ତ
ଅଦ୍ୟମ ପିପାସା ଚାତକୀର ଆଶା ମେଘ ସ୍ପର୍ଶେ ହୁଏ ତୃପ୍ତ।
ନିରସ ଉଦାସ ତରୂଲତା ବଂଶ ପ୍ରଫୁଲ୍ଲ ବିଭୋରେ ହସେ
ବାରିଦ ଚୁମ୍ବନ ଫେଡିଦିଏ ମ୍ଳାନ ସବୁଜିମା ଭରେ ବିଶ୍ୱେ ।
କୁମୁଦ କଦମ୍ବ ଝରାନ୍ତି ସୁଗନ୍ଧ ପ୍ରୀତି ମକରନ୍ଦ ରସେ
ପ୍ରମତ୍ତ ଭ୍ରମର ଉନ୍ମତ୍ତ ଅଧିର ମୃଦୁ ମଧୁ ପାନ ଆଶେ।
ସରୋବର ଶୋଭା ଦିବ୍ୟ ମନଲୋଭା ନଳିନୀ ଵିକଶେ ଆଭା
ଅଂଶୁମାଳି ସ୍ପର୍ଶ କମଳ ହରଷ ବିକଚି ବଢାଏ ଶୋଭା।
କୃଷକ ଅନ୍ତର ଆନନ୍ଦେ ଉଦାର ସବୁଜ କେଦାର ଦେଖି
କଣ୍ଠରୁ ସଂଗୀତ ହୁଅଇ ନିର୍ଗତ ନୟନ ଭିଜେ ନିରେଖି।
ତଟିନୀର ଜଳ ଦିଶଇ ଆବିଳ ଭାସେ ଫେନ ମାଳ ମାଳ
ଜଳଚର ପ୍ରାଣୀ ହରଷ ଉଜାଣି ସର୍ପ ଦୁଃଖ ଅସମ୍ଭାଳ।
ମୟୂର ନର୍ତ୍ତନ ଉଛୁଳେ କାନନ ଦର୍ଦ୍ଦୁର ଚିତ୍କାର ତୋଳେ
ସାଧବ ବଧୁର ଆନନ୍ଦ ଅପାର ଧୀରେ ଧୀରେ ଯେବେ ଚାଲେ।
ପଲ୍ଲୀ ପରିବେଶ ପ୍ରଶାନ୍ତ ସରସ ପ୍ରୀତିର ଦୁନ୍ଦୁଭି ବାଜେ
ପ୍ରକୃତି ପସରା ସବୁଜିମା ଭରା ଧରଣୀ ଖୁସିରେ ଭିଜେ।
ବାଳକ ସକଳେ ଉଦ୍ଦାତ୍ତ ହିଲ୍ଲୋଳେ ବରଷାରେ ଭିଜି ଭିଜି
ଭସାନ୍ତି ଆନନ୍ଦେ ପ୍ରେମ ପ୍ରୀତି ଛନ୍ଦେ କାଗଜ ଡଙ୍ଗାରେ ମଜ୍ଜି।
ନଦୀ ବିଲମାଳ ଖାଲଖମା ନାଳ ପୂର୍ଣ୍ଣ ହୁଏ ବର୍ଷା ଜଳେ
ଜଳର ଗହଳ ହୁଅଇ ପ୍ରବଳ ଅତି ବୃଷ୍ଟିପାତ ବଳେ।
କେତକୀ ମାଳତୀ ତରାଟ ସେବତୀ ଚମ୍ପା ମଲ୍ଲି ପୁଷ୍ପ ଫୁଟି
ବାଡ଼ି ବଗିଚାରେ କାକୁଡି କଖାରୁ ଭେଣ୍ଡି ଜହ୍ନି ଯାଏ ଲୋଟି।
ପଲ୍ଲୀ ବୁକୁ ହସେ ଅସରା ଉଲ୍ଲାସେ ପୁଲକିତ ହୁଏ ଧରା
ଅଭିନବ ଭାବ ହୁଅଇ ଉଦ୍ଭବ ଜଗତ ହସଇ ପରା
ଜନ ପ୍ରାଣୀ ହିତ ସାଧେ ଅପ୍ରମିତ ହୋଇଣ ମଙ୍ଗଳକାରୀ
ଜଗତ ଭରସା କୃଷକର ତୃଷା ପୂର୍ଣ୍ଣ କରେ ବର୍ଷି ବାରି।