ବର୍ଣ୍ଣିଳ ଧରଣୀ
ବର୍ଣ୍ଣିଳ ଧରଣୀ
ବିବିଧ ରଙ୍ଗରେ ଭରିଛି ଜୀବନ
କେବେ ଧଳା କେବେ ନାଲି
କେବେ ସେ ବେରଙ୍ଗ, ଜଳର ସମାନ
କେବେ ଦିଶେ ଝିଲିମିଲି ।
ଅମାବାସ୍ୟା ଆସେ କଳା ରଙ୍ଗ ନେଇ
ବୋଳିଦିଏ ରାତି ଦେହେ
ଦୂର ପୋଖରୀରେ ଫୁଟି ନୀଳ କଇଁ
ବିରହେ ଲୁହ ଝରାଏ ।
ପୁଣି କେବେ ହସେ ଆକାଶେ ସୁଧାଂଶୁ
ଶୁଭ୍ର ଜ୍ୟୋତ୍ସ୍ନା ଯାଏ ଝରି
କୃଷ୍ଣ ରଙ୍ଗ ଶାଢୀ, ପିନ୍ଧି ବିଭାବରୀ
ଲାଜରେ ଯାଏ ମଉଳି ।
ବାଳ ଭାନୁ ଆସେ ପୂରୁବ ଆକାଶେ
ପ୍ରକାଶି ସୁନେଲି ଖରା
ପଙ୍କଜ ବିକଶେ ପୀରତି ରଙ୍ଗରେ
କେତେ ସେ ଦିଶଇ ତୋରା ।
କୃଷ୍ଣଚୂଡା ଠାରୁ ନାଲି ରଂଗ ମାଗି
ଗ୍ରୀଷମ ଆସଇ ଧିରେ
ଶ୍ୟାମଳ ସବୁଜ ପଲ୍ଲବିତ ରଙ୍ଗେ
ଶ୍ରାବଣେ ବରଷା ଝରେ ।
ଆକାଶ ବକ୍ଷରେ ସପ୍ତ ରଂଗ ମିଶି
ଇନ୍ଦ୍ରଧନୁ ଯେ ଆଙ୍କନ୍ତି
ବର୍ଣ୍ଣ-ବିଭବର ରୂପ ଛଟା ନେଇ
ସଭିଁଙ୍କ ମନ ମୋହନ୍ତି ।
କୃଷ୍ଣାଙ୍ଗ ସ୍ଵାକ୍ଷରେ ମେଘର ଗର୍ଜନ
ଚମକେ ତହିଁ ଚପଳା
ଘଡ଼ଘଡ଼ି ଶବ୍ଦେ ପ୍ରକମ୍ପିତ ଧରା
ମୟୂର କରଇ ଖେଳା ।
ଶରତ ଆସଇ ଧବଳତା ନେଇ
କାଶତଣ୍ଡୀ ପରଶରେ
ଆକାଶେ ଭାସଇ ଧବଳ ବଉଦ
ବୋଇତ ଯେହ୍ନେ ସାଗରେ ।
ଧବଳ ତୁଷାର ସ୍ପର୍ଶରେ ହସଇ
ଶୀତଦିନେ ଆମ ଧରା
ବସନ୍ତ ଆସିବ ମଳୟ ବହିବ
ଜଗିରହେ ବସୁନ୍ଧରା ।
ବସନ୍ତ ଆଣଇ ରଂଗର ପସରା
ସାଥିରେ ଆଣେ ସେ ହୋଲି
ରଂଗ ବେରଙ୍ଗର ଅବିର ଉଡ଼ଇ
ହସେ ଧରା ମନ ଖୋଲି ।
ବର୍ଣ୍ଣିଳ ଧରଣୀ ନିତି ହସୁଥାଏ
ଶୋଭାର ନୂତନ ରଙ୍ଗେ
କେତେ ରଂଗ ନେଇ, ରଚେ ସେ ଶୃଙ୍ଗାର
ପ୍ରକୃତିର ଅଙ୍ଗେ ଅଙ୍ଗେ ।