ବୋଉ ବନାମ୍ ମମି
ବୋଉ ବନାମ୍ ମମି
ଛୋଟ ଝିଅ ମୋରଧାଇଁ ଆସି ଦିନେ
କହିଲା ପାଖରେ ବସି
ମୋର ସାଙ୍ଗମାନେ ଡାକନ୍ତି ବୋଉକୁ
ମମି ବୋଲି ହୋଇ ଖୁସି।
ମୁଁ ବି ଡାକିବି ମମି ମମି ତତେ
ନନା ଙ୍କୁ ଡାକିବି ଡାଡି।
ବୋଉ ନନା ଡ଼ାକ ପୁରୁଣା ହେଲାଣି
ସାଙ୍ଗ ଆଗେ ନ କହିବି।
ତାଙ୍କ ଆଗେ ତୋତେ ବୋଉ ଡାକିଦେଲେ
ହସୁଛନ୍ତି ମୋତେ ସବୁ।
ମମ୍ ଡାଡ୍ ଡ଼ାକ ଭାରି ମଜା ହେବ
କିସ୍ ମୋତେ ତୁ କରିବୁ।
ବୁଝାଇ କହିଲି ବୋଉ ତୁ ଡାକିଲେ
ମୋତେ ଭାରି ଭଲ ଲାଗେ
ମମି ଡାକରେ ସେ ସରାଗ ନାହିଁଟି।
ଅବୁଝା ହୁଅନା ଭଲେ।
ଆମ ମାତୃଭାଷା ଓଡ଼ିଆ ଅଟଇ
ବୋଉ ବାପା ଆମ ଡ଼ାକ
ଇଂରାଜୀରେ ମମି ଡାଡିଯେ ଡାକିଲେ
ହେବ କି ଲାଭ ଅଧିକ।
ମୁହଁ ଶୁଖେଇ କି ରହିଗଲା ସିଏ
କହିଲାନି କିଛି ମୋତେ
ସାଙ୍ଗଙ୍କୁ ଦେଖିଲେ ଧୀରେ ବୋଉ ଡାକେ
ହସି ଦିଏ ମୁଁଯେ ଟିକେ।
ଫୋନରେ ସାଙ୍ଗ ପଚାରେ ଯଦି ସେ
ମମି କହେ ଅତିବେଗେ।
ଯେମିତି କାହାକୁ ଭୁଲ ରେ କହୁଛି
ଶୁଣି ସେମିତିକା ଲାଗେ।
ବଡ଼ ହୋଇ ଯେବେ ପଢିଲା ସାହିତ୍ୟ
ଜାଣିଲା ଭାଷାର ମୂଲ।
ଜାଣିଲା ବୋଉ ତ ଠିକ୍ କହୁଥିଲା।
ଅଛି କେ ଭାଷାର ତୁଲ।
କଲେଜ ରୁ ଦିନେ ଆସି ହସି ହସି
କହିଲା ପାଖରେ ବସି।
ଗର୍ବ ରେ କହୁଛି ବୋଉ ନନା ବୋଲି
ଡାକିବାରେ ଅଛି ଖୁସି।
ଆମ ମାତୃଭାଷା ଓଡ଼ିଆ ଯେହେତୁ
ଧନ୍ୟ କହେ ମନ ଖୋଲି।
ମୋର ପିଲାଙ୍କୁ ମୁଁ ଶିଖାଇଵି ନିଶ୍ଚେ
ମା ମାତୃଭାଷା ବୋଲି।
ମମି ବୋଲି ଡାକି ଗେହ୍ଲା ହେଲାବେଳେ
ମମତା ଝରେନା କାହିଁ
ବୋଉ ଡାକିଦେଇ ପଣତେ ଲୋଟଇ
ଦୁଃଖ ଟିକେ ରହେ ନାହିଁ।