ବନସ୍ତେ ଡାକିଲା ଗଜ
ବନସ୍ତେ ଡାକିଲା ଗଜ


ରଜ ଦୋଳି କଟ ମଟ
ବରଷକେ ଥରେ ଆସିଛି ରଜ,
ଆସିଛି ରଜରେ ଘେନି ନୂଆ ସଜବାଜ... ।
କରୋନା କରୁଚି ନାଟ
ସଭିଙ୍କ ଦୁଆରେ ତାଟି କବାଟ
ଏ ଘନ କାଳରେ କରୋନା ଗୋଳରେ
ମାଡୁଚି ମହା ବିପଦ,
ମହା ବିପଦରେ, ସଭିଏଁ ହଟ ଚମଟ... ।
ଆସିଚି ରଜ ପରବ,
ରଜ ସଙ୍କରାନ୍ତି ମନେ ଗରଜ
ମନ ଗରଜରେ ବିଦେଶୀ ନୂଆ ଦରବ
ନୂଆ ଦରବରେ ପଙ୍ଗପାଳ ମାଳମାଳ
କି ରଜ ପାଳିବୁ କି ଦୋଳି ଖେଳିବୁ
ମନ ହୁଏ ଦକ ଦକ...।
ବନସ୍ତେ ଡାକଇ ଗଜ,
ସାଗୁଆ ବେଶରେ ଝୀଂଟିକା କୀଟ
ଝୀଂଟିକା କୀଟରେ ଭଗାରୀ କରେ କପଟ
କଇଁଛ କାଢୁଛି ବେକ
ଅରଣା ମଇଁଷି ଅନାଇ ରହିଚି
ହୋଇବକି ଭେଟଘାଟ...!
ଆସିଲା ପହିଲି ରଜ,
ମୋ ଭାଇ ମୁଣ୍ଡରେ ପ୍ରବାସୀ ସଜ
ପ୍ରବାସୀ ସଜରେ କହିବାକୁ ଲାଗେ ଲାଜ
ସୁନାନାକୀ କି କହିବି ତତେ ଆଜ
ନିରିମାଖି ପଙ୍ଗତେ ପୁରଇ ପେଟ
କରୋନା ନେଇଚି ସଭିଙ୍କ ଭେକରେ
ସରମରେ ବହେ ଝାଳ,
ମୁହଁ ପୋଡିଯାଏ ସେ ନିଆଁ ଦାଉରେ
ମନ ଖାଲି ସକ ସକ... ।
ମଝି ରଜ ବଡ଼ ବାଗ,
ଦାଦନୁ ଫେରିଛି ଫଟା ରସିକ
ଫଟା ରସିକରେ ପଙ୍ଗପାଳିଆଙ୍କ ବେଶ
ମୁହେଁ ହସ ନାହିଁ ସଙ୍ଗରୋଧ ହେଇ
ନିସଂଗରେ ଛଟପଟ...।
ଦେଇଥିଲା ମୋତେ କଣ୍ଟ
ଏ ବର୍ଷ ରଜରେ ଫେରିଲେ ନାଗର
ବାଣ୍ଟି ଥା’ନ୍ତୁ ପାନଖିଲ,
ବଉଳରେ କହିବାକୁ ଭାରି ଲାଜ
ପୋଡ଼ ପିଠା ନାହିଁ ପୋଡା ପିଠା ବାସେ
ମଉଳେ ରଜର ସଜ...।
ଫେରିଯିବ ଶେଷ ରଜ,
ପଙ୍ଗପାଳିଆଙ୍କ ପେଟରେ ଲାତ
ପେଟରେ ଲାତରେ ହିନି କପାଳିଆଙ୍କ ଭାଗ୍ୟ
କରୋନା ଦେଇଚି ମୁହଁରେ ତୁଣ୍ଡିରେ
ପୋଡା କପାଳର ଦୋଷ...।
ଦଇବ କଲାକି ରୋଷ,
ମାଡି ଆସିଲାଣି ଆକାଶରେ ମେଘ
କରିବାକୁ ହୀନିମାନ,
କରୋନା ବାତିଆ ଏ ମହା ବାତିଆ
ମିଶିଲେ ବଡ଼ ଉଚ୍ଛନ୍ନ...।
ଭୂଇଁ ସ୍ନାହାନ ଦିନ,
ମନେ ପଡ଼ିଯାଏ ରସିକ ରାଜ
ରସିକ ରାଜରେ ଆଣିବ ସୁରଟ ପାଟ
ସୁରଟ ପାଟରେ ଦିଶୁଥାଏ ଝକ ମକ,
କଣ୍ଟ ଦେଇ ସିନା ଭୁଲାଇଲା ସିଏ
ରଜରେ ନାହିଁ ସରାଗ,
ରଜ ଚାଲିଯାଏ ସେଇ ବାଟେ ବାଟେ
ରାଗେ ହୋଇ ଜର ଜର,
ଏ ବର୍ଷ ରଜଟା ମଉଳା ରଜରେ
ବର୍ଷା ଝରେ ଝର ଝର...।