ବନ୍ଧୁତ୍ୱର ମହକ
ବନ୍ଧୁତ୍ୱର ମହକ
ବାଡି ଖଣ୍ଡେ ହାତର ସାଥିଟି ନିର୍ଜନର ପରମ ବାନ୍ଧବ
ବୁଡିଗଲା ଲୋକ କୁଟା ଖିଅ ଆଶ୍ରା କରେ କାଳେ ବଂଚିଯିବ !
'ସାତ ପାଦ ସାଥିରେ ଚାଲିଲେ ବନ୍ଧୁ' ଏହି ଆପ୍ତ ବାକ୍ୟ ଅଛି
ଭକତର ବନ୍ଧନରେ ବନ୍ଧା କୃପା ସିନ୍ଧୁ କିଏ ନଜାଣିଛି !
ପିତାମାତା ସହୋଦର ବନ୍ଧୁ ପ୍ରତିବେଶୀ ଅତିଥି ଆଶ୍ରିତ
ପରିଜନ ସହକର୍ମୀ ବନ୍ଧୁ ସମୟରେ ଶତ୍ରୁ ହୁଏ ମିତ ।
ସଂପଦେ ବିପଦେ ବନ୍ଧୁ ଉତ୍ସବେ ବ୍ୟସନେ ରାଜଦ୍ୱାରେ
ଭୁଲ ଠିକ୍ ବିଚାର ନକରି ବନ୍ଧୁଟିଏ ଛିଡା ହୋଇପାରେ ।
ବନ୍ଧୁତ୍ୱକୁ ଅସ୍ୱୀକାର ହେତୁ ଦ୍ରୋଣ ଜିତି ପାଂଚାଳ ରାଜ୍ୟକୁ
ଅର୍ଦ୍ଧ ନେଇ ବାକି ଅର୍ଦ୍ଧେକକୁ ଫେରାଇଲେ ଦୃପଦରାଜାଙ୍କୁ ।
ବନ୍ଧୁତ୍ୱର ବନ୍ଧନ ନିଗଡେ କର୍ଣ୍ଣ ହେଳେ ତେଜିଲେ ପରାଣ
ଦୁର୍ଯ୍ୟୋଧନ ସାଥୀ ନଛାଡିଲେ ଜାଣି ବିପକ୍ଷରେ ସ୍ୱୟଂ କୃଷ୍ଣ ।
ସୁଦାମା ଦ୍ୱାରକା ଆସି ଫେରିଗଲେ ନପ୍ରକାଶି ଦୁଃଖ
ଅନ୍ତର୍ଯ୍ୟାମୀ ଭରିଦେଲେ ଧନ ବନ୍ଧୁ କେବେ ହେବକି ବିମୁଖ !
ଛୋଟାକୁ ବସାଇ କାନ୍ଧରେ ଅନ୍ଧ ଚାଲଇ ଧିରେ ଧିରେ
ଛୋଟା ହୁଏ ଅନ୍ଧ ପାଇଁ ଚକ୍ଷୁ ଆରେକ ତା ପାଦ କ୍ଷତି ଭରେ ।
ଯୀଶୁଙ୍କର ମହାନ ସେ ବାଣୀ ପଡୋଶୀକୁ ଦେଖ ନିଜ ପରି
ପାକିସ୍ଥାନ ହିନ୍ଦୁସ୍ଥାନ ଯଦି ପାରନ୍ତେ ଆର କୁ ଆଦରି !
ଜର୍ମାନୀର ପ୍ରାଚୀର ଭାଂଗିଲା କୋରିଆକୁ କୋରି ଖାଏ ଭାଇ
ବନ୍ଧୁତ୍ୱର ହାତ ବଢାଇଲେ ଦୁରତ୍ୱ କି ଘୁଂଚି ଯା'ନ୍ତା ନାହିଁ !
ଯାନ୍ତ୍ରିକ ଉପଲବ୍ଧି ମାନ ଦୁନିଆକୁ ଯୋଡେ ଯେଡେ ବେଗେ
ମାନବ ମନର ଆବିଳତା କେଉଁ ସୀମା ସରହଦ ଲଂଘେ !
ବନ୍ଧୁତ୍ୱର ନାହିଁ ପରିସୀମା ନାହିଁ ସୀମା ସରହଦ କିଛି
ମୁଖ ପୁସ୍ତିକାରେ ବନ୍ଧୁ ହୁଏ ଗଢା ଅଣ ଦେଖା କରି ପ୍ରତିବେଶୀ ।