ବନ୍ଧୁତ୍ୱର ଭାବ
ବନ୍ଧୁତ୍ୱର ଭାବ
ମଣିଷ ଜନମ ଅଟେ ବହୁ ପୂଣ୍ୟର ଫଳ,
ଧର୍ମକୁ ଆଦରି କର୍ମ କଲେ ତ ଏହା ହିଁ ମିଳେ.
କିନ୍ତୁ, ବେଳେ ବେଳେ ପ୍ରଶ୍ନ ଉଠେ ନିର୍ବାଣକୁ ନେଇ,
କିଏ କହେ ଧର୍ମ ବଳେ ଏହା ପ୍ରାପ୍ତ ତ ହୁଅଇ.
କିଏ କହେ କର୍ମ ବଳେ ଏହାର ରାସ୍ତା ଫିଟଇ,
ହେଇ ପାରେ ସବୁ ସତ୍ୟ, କିନ୍ତୁ ମନ ନ ବୁଝଇ.
ଭାବ ଏକ ସ୍ୱତନ୍ତ୍ର ମାର୍ଗ, ଯାହା ତ ନିୟନ୍ତ୍ରିତ,
ସେ ପୁଣି ହୁଏ ସଦା ସତସଙ୍ଗରୁ ହିଁ ପ୍ରତୀତ.
ସତସଙ୍ଗ ହୁଏ ମେଳିରୁ, ପୁର୍ଣ ସମର୍ପଣରୁ,
ସମର୍ପଣ ଜାତ ମନ ଓ ହୃଦୟ ମିଶ୍ରଣରୁ.
ଜ୍ଞାନୀଙ୍କ ଉକ୍ତିରେ ଏହା ଭକ୍ତି ଓ ପ୍ରେମର ମାର୍ଗ,
ଭାବିଲେ ବି ଏହା ଅଟେ ସତ୍ୟ ବନ୍ଧୁତ୍ୱର ଭାବ...............
ବନ୍ଧୁତ୍ୱ ଅଟେ ଏକ ସୁନ୍ଦର ସମ୍ପର୍କର ନାମ,
ଦେଖେ ନାହିଁ ସେ କିଛି ଧନ,ସମ୍ପଦ ଅବା ଧର୍ମ.
ଭାଗ୍ୟେ ଥିଲେ ପ୍ରାପ୍ତ ହୁଏ ଏହି ଅମୂଲ୍ୟ ସମ୍ପଦ,
ବିଧାତାର କୃପା ବଳେ ପାଇ ତାଙ୍କ ଆଶୀର୍ବାଦ.
ଜୀବନଟା ଯଦି ହୁଏ ଏକ ନଦୀର ଦୁଇ ଧାର,
ସମୟର ତାଳେ ସୃଷ୍ଟି ତ ସମ୍ପର୍କ ବନ୍ଧୁତ୍ୱର.
ସବୁ ସମ୍ପର୍କ ବୁଝେନ
ା ତ ଏ ବନ୍ଧୁତାର ଭାବ,
ସଭିଙ୍କ ପାଶେ ମିଳେ ନାହିଁ ବି ମିତ୍ରତା ସ୍ଵଭାଵ.
ସତ୍ୟ ବନ୍ଧୁତ୍ୱ ଯୋଡ଼େ ହୃଦୟକୁ ହୃଦୟ ସଙ୍ଗେ,
ଅମୂଲ୍ୟ ସେ, ରଙ୍ଗିଥାଏ ସଦା ପ୍ରେମ ଭାବ ରଙ୍ଗେ.
ହୁଏ ନାହିଁ ବନ୍ଧୁତ୍ୱ ଭାବର ମୃତ୍ୟୁ, ସେ ଅମର,
ଯୁଗେ ଯୁଗେ ବି ଚର୍ଚ୍ଚିତ, ସାର ଏହି ସମ୍ପର୍କର............
କେତେ କେତେ ପ୍ରାଣୀ ବି ସଦା ଆସିଥାନ୍ତି ଜୀବନେ,
କିଏ କହେ ମିତ୍ର ଭାବ ରଖିଛି ସାଇତି ମନେ.
କିଏ ପୁଣି କରେ ବନ୍ଧୁତାର ପ୍ରସାର ପ୍ରଚାର,
କିଏ ପୁଣି ମିତ୍ରତା ତ କରେ ହୋଇ ସ୍ୱାର୍ଥପର.
କିଏ ପୁଣି ମିତ୍ରତାକୁ ଭାବେ ଏକ ଦୁର୍ବଳତା,
କିଏ ପୁଣି ଅହଙ୍କାରୀ ହୋଇ କରଇ ତା ରକ୍ଷା.
କେହି ଅଜ୍ଞାନୀ ବି କରେ ମିତ୍ରତାର ଉପହାସ,
ଭାବେ ବନ୍ଧୁତ୍ୱର ସମ୍ପର୍କ ତ ଅଟେ ତାର ଦାସ.
ମନ ପ୍ରାଣ ସର୍ବାଙ୍ଗେ ତ ଯେଉଁ ଭାବ ରହିଥାଏ,
ସେ ସତ୍ୟ ବନ୍ଧୁତ୍ୱର ଭାବ ତ ପରିଚୟ ଦିଏ.
ସେ ବନ୍ଧୁତ୍ୱ ଭାବର ଉତ୍ପତ୍ତି ନୁହଁଇ ସାମାନ୍ୟ,
ସେ ଭାବରେ ବାନ୍ଧି ହେଲେ ଏ ଜୀବନ ହୁଏ ଧନ୍ୟ.............