Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ

2 mins
505



ଉତ୍କର୍ଷ କଳାର ଦେଶ ମୋ ଜନନୀ

ମାତୃଭୂମି ଏ ଉତ୍କଳ l

ଭାରତ ସରସେ କମଳ ଯେସନ

କେଶର ତା ନୀଳାଚଳ l

ଶ୍ରୀ ମନ୍ଦିରେ ଉଡ଼େ ଓଡ଼ିଆ ଜାତିର

ଗର୍ବ ବିଜୟ କେତନ l

ବିଜେ କରିଛନ୍ତି ବ୍ରହ୍ମାଣ୍ଡ ଠାକୁର

ପ୍ରଭୁ ନୀଳାଦ୍ରି ମଣ୍ଡନ l

ଉତ୍କଳ ଉତ୍କର୍ଷେ ଏ ଧରା ଧାମରେ

କେହିକି ହେବେ ସମର୍ଥ l

ଉତ୍କଳର ନେତା ସ୍ୱୟଂ ନାରାୟଣ

ମହାପ୍ରଭୁ ଜଗନ୍ନାଥ l

ଉତ୍କଳର ମାନ ରଖିଥିଲେ ଦିନେ

କଳା ଧଳା ଦୁଇ ଭାଈ l

କରବାଳ ହସ୍ତେ ଉଭା ହୋଇଥିଲେ

ସମର ଭୂମିରେ ଯାଇ l

ଏକଥା ପ୍ରମାଣେ ଚିଲିକା ତୀରରେ

ମାଣିକ ପାଟଣା ରହି l

ତୃଷ୍ଣା ମେଣ୍ଟାଇଲେ ମହାପ୍ରଭୁ

ଖାଇ ମାଣିକା ହସ୍ତରୁ ଦହି l

ଲିଙ୍ଗରାଜ, ଶ୍ରୀମନ୍ଦିର,କୋଣାରକ

ଅପୂର୍ଵ କିରତୀ କଳା l

ଆଶ୍ଚର୍ଯ୍ୟ ଲାଗଇ କିଏ ସେ ଶିଳ୍ପୀ

ଆଙ୍କି ଦେଇ ଚାଲିଗଲା l

ଏ ଦେଶ ମାଟିକୁ ପବିତ୍ର କରଇ

କେତେ ପୁତ ନୀରା ନଦୀ l

ଉତ୍କଳର ଗଙ୍ଗା ବୈତରଣୀ ଯଥା

ବ୍ରାହ୍ମଣୀ ଓ ମହାନଦୀ l

ଉତ୍କଳ ଜନନୀ ବୀର ପ୍ରସବିନି

ଧନ୍ୟ ତା ସାହସୀ ସୁତ l

ମେଲି ଦେଇଥିଲେ ଦେଶ ଦେଶାନ୍ତରେ

ସାଗର ବକ୍ଷେ ବୋଇତ l

ଉତ୍କଳର ସୁତେ ଜୟ କରିଥିଲେ

ଗଙ୍ଗା ଠାରୁ ଗୋଦାବରୀ l

ଭାରତ ବକ୍ଷରେ ତୋଳି ଧରିଥିଲେ

ଉତ୍କଳ ମାତାର ଶିରି l

ତା ଗର୍ଭୁ ଜନମି ଭଞ୍ଜ ବୀରବର

କବି ସାହିତ୍ୟ ସମ୍ରାଟ l

ସାହିତ୍ୟ ସୃଜିଲେ ତୁଳନା ଯାହାର

ଦେବ ଭାଷାଟି ସଂସ୍କୃତ l

କବିସୂର୍ଯ୍ୟ, ଦୀନକୃଷ୍ଣ, ଅଭିମନ୍ୟୁ

କାବ୍ୟ କୁସୁମ ତୋଳିଲେ l

ଉତ୍କଳ ଜନନୀ ଗଳେ ଭକ୍ତିଭରେ

ମାଳା ଗୁନ୍ଥି ଲମ୍ବାଇଲେ l

ଉତ୍କଳର ବ୍ୟାସ ଜଗନ୍ନାଥ ଦାସ

ରଚିଲେ ଶ୍ରୀ ଭାଗବତ l

ଗଙ୍ଗାଠାରୁ ଗୋଦାବରୀ ଯାଏ

ଯାହା ଉତ୍କଳେ ହୁଅଇ ପାଠ l

ଉତ୍କଳ ବାଲ୍ମୀକି କବି ବଳରାମ

ଲେଖି ଦାଣ୍ଡୀ ରାମାୟଣ l

ପ୍ରଚାର କରିଲେ ଉତ୍କଳ ଭୂମିରେ

ମୋକ୍ଷଦାୟି ରାମ ନାମ l

ଉତ୍କଳର ଆଦିକବି ମହାକବି

ମହାତ୍ମା ଶାରଳା ଦାସ l

ବାଗ୍ଦେବୀ କୃପାରୁ ପରଷିଲେ

ଆଣି ମହାଭାରତର ରସ l

ସର୍ବ ଧର୍ମ ସମନ୍ଵୟ ସ୍ଥଳୀ ଏହି

ପୁଣ୍ୟ ଭୂମି ଭାରତର l

ବୁଦ୍ଧ ଶ୍ରୀ ଚୈତନ୍ୟ ମହାପ୍ରେମେ

କଲେ ବିଭୁ ନାମକୁ ପ୍ରଚାର l

ମଗଧ ସମ୍ରାଟ ଚଣ୍ଡାଶୋକ ଦିନେ

ଲଭି ଏ ମାଟିରୁ ଶିକ୍ଷା l

ଧର୍ମାଶୋକ ହୋଇ ପ୍ରଚାରିଲେ ପୁଣି

ସତ୍ୟ ଓ ଅହିଂସା ଦୀକ୍ଷା l

କେତେ ବଖାଣିବି ଉତ୍କଳ ମହିମା

ଜନ୍ମ ହୋଇଛି ସଫଳ l

ଧନ୍ୟମଣେ ମାତ ଗରବେ ମୁଁ ଆଜି

ଲଭି ତୋର ପୁଣ୍ୟ କୋଳ l

ପ୍ରତିଜ୍ଞା କରିଛି ଜୀବ ଥିବା ଯାଏ

ଗାଇ ତୋର ପୁଣ୍ୟ ଗୀର l

କର୍ତ୍ତବ୍ୟ ସାଧନେ ଉନ୍ନତ ରଖିବି

ମହିୟସୀ ତୋର ଶିର l

         


Rate this content
Log in