ବନଭୋଜି ବେଶ
ବନଭୋଜି ବେଶ


ଭାଦ୍ରବେ କେଶବ ଲୀଳା ଅଭିନବ
ବେଶ ବିଳାସୀ ବାସବ
ନୀଳାଦ୍ରି ମଣ୍ଡପ ପରେ ଅପରୂପ
ବପୁ ସଜ୍ଜିତ ଅପୂର୍ବ ।
ପ୍ରତାପରୁଦ୍ରଙ୍କ ଶାସନର ଅଙ୍କ
ଆରମ୍ଭେ ଶୁଭାଧିବାସ
ନନ୍ଦପୁର ନିନ୍ଦୀ ନୀଳାଦ୍ରି କନ୍ଦରେ
ହୁଏ ବନଭୋଜି ବେଶ ।
କୃଷ୍ଣ ବଳରାମ ନୟନାଭିରାମ
ବେଶ ବଶ କରେ ମନ
ସତେ କିବା ବନ ଭୋଜି ଅଭିଳାଷେ
ବନେ କରନ୍ତି ଗମନ ।
ଶିଙ୍ଗା ବେଣୁ ନ୍ୟସ୍ତ ଶ୍ରୀବିଗ୍ରହ ହସ୍ତ
ଚୂଳେ କନକର କିଆ
ରତ୍ନ ସିଂହାସନେ ଗୋବତ୍ସ ବିଗ୍ରହ
ସୁଠାମ ଠାଣିରେ ଠିଆ ।
ନନ୍ଦ ନନ୍ଦନଙ୍କ ସୁନ୍ଦର ପଦାଙ୍କ
ଅଙ୍କିତ ନୀଳ କନ୍ଦରେ
ବନ୍ଦେ ବୃନ୍ଦାବନ ବିହାରୀଙ୍କ ପଦ
ଯୁଗଳ ଅରବିନ୍ଦରେ ।