ବିଶ୍ଵାସ--------
ବିଶ୍ଵାସ--------
ବିଶ୍ଵାସେ ନାଉରୀ
ବାହୁଥାଏ ନାଆ
ନଦୀ ହେବାପାଇଁ ପାର।
ବିଶ୍ଵାସେ ବାଟୋଇ
ବାଟ ଚାଲୁଥାଏ
ପହଞ୍ଚିବା ପାଇଁ ଘର।
ବିଶ୍ଵାସେ ମଣିଷ
ସୁଖେ ନିଦ୍ରା ଯାଏ
ଉଠିବା ପାଇଁ ସକାଳେ।
ପରିବାର ସୁଖ
ମନାସିଣ ମାଆ
ବିଶ୍ଵାସରେ ଦୀପ ଜାଳେ।
ବାପଘର ଛାଡ଼ି
ସ୍ଵାମୀ ହାତ ଧରି
ବିଶ୍ଵାସରେ ଆସେ ଝିଅ।
ଗଢ଼ିବାକୁ ନିଜ
ସୁନାର ସଂସାର
ପାଇଣ ଆଦର ସ୍ନେହ।
ବିଶ୍ଵାସରେ ବୈଦ୍ୟ
ଚିକିତ୍ସା କରଇ
ରୋଗୀ ହେବାପାଇଁ ଭଲ।
ବିଶ୍ଵାସେ କୃଷକ
ମଞ୍ଜି ବୁଣେ କ୍ଷେତେ
ଫଳିବ ସୁନା ଫସଲ।
ପିତା ଆଉ ମାତା
ପାଳନ୍ତି ସନ୍ତାନ
ମନରେ ରଖି ବିଶ୍ଵାସ।
ଦୁନିଆଁରେ ତାଙ୍କ
ନାଆଁ ସେ ରଖିବ
ହୋଇଣ ଭଲ ମଣିଷ।
ବିଶ୍ଵାସେ ଆରୋହୀ
ପାହାଡ଼ରେ ଚଢ଼େ
ଶିଖ ଛୁଇଁବାର ପାଇଁ।
ସିଦ୍ଧି ଲଭିବାର
ବିଶ୍ଵାସେ ବିଜ୍ଞାନୀ
ସାଧନାରେ ରତ ଥାଇ।
ବିଶ୍ଵାସେ ମଣିଷ
ଲାଗଇ ନିଜର
ଅବିଶ୍ଵାସେ ଲାଗେ ପର।
ବିଶ୍ଵାସରେ ବିଷ୍ଣୁ
ମିଳନ୍ତି ପାଖରେ
ଅବିଶ୍ଵାସେ ସେ ତ ଦୂର।
ବିଶ୍ଵାସରେ ପରା
ଚଳେ ସାରା ସୃଷ୍ଟି
ପ୍ରଗତି ମୂଳ ବିଶ୍ଵାସ।
ବିଶ୍ଵାସରେ ସଦା
ମିଳଇ ପୀୟୂଷ
ଅବିଶ୍ଵାସେ ମିଳେ ବିଷ।
ବିଶ୍ଵାସରେ ଆସ୍ଥା
ବିଶ୍ଵାସେ ଭରସା
ବିଶ୍ଵାସେ ମିଳଇ ତୃପ୍ତି।
ବିଶ୍ଵାସରେ ଆସ
ଉଦ୍ୟମ କରିବା
ନିଶ୍ଚେ ହେବ ଲକ୍ଷ୍ୟ ପ୍ରାପ୍ତି।