ବିଶ୍ଵାସ ପ୍ରଦୀପ
ବିଶ୍ଵାସ ପ୍ରଦୀପ
ପବନରେ ଲିଭିବ ଲିଭିବ ହେଉଥାଏ
ହୃଦୟର ମନ୍ଦିର ବେଢ଼ାରେ
କେଜାଣି କେଉଁ ଅଦୃଶ୍ୟର ଇଙ୍ଗିତରେ?
ଲିଭେନାହିଁ କିନ୍ତୁ ସଙ୍କଟର ଘୂର୍ଣ୍ଣିଝଡରେ।
ବିଜୟ ପଥେ ତା'ର ସଂଗ୍ରାମ ଅହରହ
ନିରୁପାୟତାର ଚରମ ସୀମାରେ
ଅବିଶ୍ୱାସର ଅନ୍ଧାର ରାତିରେ
କିନ୍ତୁ ଏଇ ଟିକିଏ ଆଲୋକ ପଥ କଢାଇ ନିଏ
ଜୀବନର ଅମାବାସ୍ୟା ରାତ୍ରେ
ସମ୍ପର୍କର ଜଟିଳ ରାସ୍ତାରେ।
ଶିଖାରେ ତା'ର ଝାସ ଦେଇ ପାଉଁଶ ହୁଅନ୍ତି
ଭୁଲ୍ ବୁଝାମଣାର କୀଟ ପତଙ୍ଗ
ବିବଶତାରେ କେହିଯେବେ ମଥାପାତେ
ସାହସ ଦିଏ ତାକୁ କ୍ଷୁଦ୍ର ଏଇ ଶିଖା।
ଯେବେ ଭରସାର ତେଲ ସରିସରି ଯାଏ
କ୍ଷୀଣ ହୁଏ ଯେବେ ଯେବେ ଆଶାର ସଳିତା
ଲିଭିଯାଏ ତତ୍ କ୍ଷଣାତ ବିଶ୍ୱାସ ପ୍ରଦୀପ
ହୃଦୟର ମନ୍ଦିରକୁ ଭରି ଅନ୍ଧକାରେ।
କିନ୍ତୁ ଏହା ଶେଷ ନୁହେଁ
ପୁଣି କେହି ଆସେ ଧିରେ ଜୀବନ ସନ୍ଧ୍ୟାରେ
ଆଲୋକିତ କରିବାକୁ ହୃଦୟ ମନ୍ଦିର
ଜାଳେ ପୁଣି ଯତ୍ନରେ ସେ ବିଶ୍ଵାସ ପ୍ରଦୀପ
ଅବିଶ୍ଵାସର ଅନ୍ଧାର ରାତିରେ
ହୃଦୟର ମନ୍ଦିର ବେଢ଼ାରେ।