ବିଶାଳ ସାଗର କୋଳ
ବିଶାଳ ସାଗର କୋଳ
ସାଗର ଅନନ୍ତ ଜାଳ ରାଶି ଯେବେ
ଛୁଇଁ ଛୁଇଁ ଯାଏ ପ୍ରାଣ
ତରଙ୍ଗାୟିତ ତା ବକ୍ଷ ଖେଳାଏ
ହୃଦୟରେ ଶିହଁରଣ ।।
ରତ୍ନ ପଥରର ଗନ୍ତାଘର ସେଯେ
ନାମ ତାର ରତ୍ନାକର
ଅସରନ୍ତି ମୁକ୍ତା ସାଇତି ରଖିଛି
ଶାମୁକା ବକ୍ଷରେ ତାର ।।
ବେଳାରେ ତାହାର ସୁନାର ସୈକତ
ସ୍ରୁଷ୍ଟି କରେ ଭାବାନ୍ତର
ଭିନ୍ନ ରାଜ୍ଯକୁ ଛୁଟିଯାଏ ମନ
ବୈଚିତ୍ରମୟ ସୃଷ୍ଟିର ।।
ନୀଳାଭ ପଣତ ଧୋଉଥାଏ ପାଦ
ବିଶାଳ ଏ ପୃଥିବୀର
ଅଭିମାନେ ପୁଣି ଚାଲିଯାଏ ରୂଷି
କୋଳ ଛୁଇଁ ବାରମ୍ବାର ।।
ନୀଳ ପାରାବାର ଦିଗ୍ ବଳୟର ଛୁଏଁ
କହୁଥାଏ ଆସ ପାଶେ
ଚିକ୍ ମିକ୍ ବେଶେ ଚହଲି ଚହଲି
ସୂରୁଯ କର ପରଶେ ।।
ବିନ୍ଦୁ ବିନ୍ଦୁ ଜଳ ହୋଇ ସ୍ରୋତସ୍ଵିନୀ
ସାଗର ଜଳରେ ମିଶେ
ତୃଷ୍ଣା ତାହାର ହୋଇଯାଏ ଶେଷ
ପ୍ରାଣ ଭରି ସିଏ ହସେ ।
ଲବଣାକ୍ତ ତାର ଶାନ୍ତ ଜଳରାଶି
ବିକ୍ଷୁବ୍ଧ ହୁଏ ଯେବେ
ଭୟଙ୍କର ତାର ବିଭତ୍ସ ରୂପରେ
ମନରେ ତ୍ରାସ ଜାଗେ ।।
ସେଇ ସାଗରର ବେଳାଭୂମି ପରେ
ଦୁଃଖ ଯାଏ ସବୁ ଲୋଟି
ଟପ୍ ଟପ୍ ଲୁହ ମିଶୁଥାଏ କେବେ
ଆଶ୍ବାସନା ଦିଏ କୋଟି ।।
କେବେ ଦିଏ ପୁଣି ପ୍ରେମର ପରଶ
ଶୀତଳ ତାହାର ଧାର
କଳ୍ପନାରେ ବସି ତା ବେଳା ଭୂମିରେ
ତୋଳୁଥାଏ ବାଲିଘର।।
ମହୋଦଧି ସେତ ଜୀବନ ଆଧାର
ସ୍ରୁଷ୍ଟିକୁ କରେ ମଧୁର
ତିକ୍ତ ଜୀବନକୁ ପରିତୃପ୍ତ କରେ
ପ୍ରୀତି ତାର ଅନିର୍ବାର ।।