ବିଶ୍ଵ ଦର୍ଶନ
ବିଶ୍ଵ ଦର୍ଶନ
ଜୀର୍ଣ୍ଣ ହୋଇପାରେ କବିର କୁଟୀର
ଶୀର୍ଣ୍ଣ ହୋଇପାରେ ତନୁ,
ଉଇଁ ପାରେ ତାର କଳ୍ପନା ଆକାଶେ
କୋଟି କବିତାର ଭାନୁ।
ହୋଇପାରେ କ୍ଷୁଦ୍ର ପୂଣ୍ୟ ଦେବାଳୟ
ଦେବତା ନୁହଁଇ ସାନ,
ଭକ୍ତି ଗଙ୍ଗା ବହେ ଭକତ ହୃଦୟେ
ଲଭି ପ୍ରଭୁ ଦରଶନ।
ଦୂରେ ପଛେ ଥାଉ ମୋ ଜନମ ମାଟି
ଛୋଟ ହେଉ ଆୟତନ,
ସଦା ସେ ମୋହର ହୃଦେ ବିରାଜିତ
ସାରା ଜଗତେ ମହାନ।
ଶୀର୍ଣ୍ଣ ହେଉ ପଛେ ପିତା ମାତା ତନୁ
ନଥାଉ ତାଙ୍କ ବିଭବ,
ଧରଣୀ ଆକାଶ ଛୁଏଁ ତାଙ୍କ ପାଦ
ଭବ ସାଗରେ ସେ ନାବ।
ଛୋଟ ସିନା ଦୀପ , ଅନ୍ତରେ ତା ଅଛି
ଅନନ୍ତ ସୂର୍ଯ୍ୟ ପ୍ରକାଶ,
ଜଳାଇ ପାରେ ସେ କୋଟି କୋଟି ଦୀପ
ଅନ୍ଧାର କରି ବିନାଶ।
କ୍ଷୁଦ୍ର ହୋଇପାରେ ପୁଷ୍ପ ଅବୟବ
ହୃଦେ ସମର୍ପଣ ଭାବ,
ଜଗତ କରତା ଶିରେ ଶୋଭା ପାଏ
ସଂସାରେ ଯାହା ଦୁର୍ଲଭ।
ବିଶାଳ ସଂସାରେ କ୍ଷୁଦ୍ର ରେଣୁଟିଏ
ଅଟେ ପରା ଏ ମଣିଷ,
ହୃଦେ ଥିଲେ ତାର ସମର୍ପଣ ଭାବ
ଲଭେ ସେ ବିଭୁ ଆଶିଷ।
ଶିଶୁ ସିନା ଛୋଟ, ନିରୀହ -ନିଷ୍ପାପ-
ମନ ତାର ନୁହେଁ ସାନ,
ସରଳ ହସରେ କିଣିପାରେ ସିଏ
ସାରା ଜଗତର ମନ।
କ୍ଷୁଦ୍ର ଜଳବିନ୍ଦୁ ମଧ୍ୟେ ଅଛି ସିନ୍ଧୁ
ନୁହେଁ ଏଠି କେହି ସାନ,
ସବୁ ଏ ଜଗତେ ପରମାତ୍ମା ଅଂଶ
ଏ ଅଟେ ବିଶ୍ଵ ଦର୍ଶନ।