ବିରହ
ବିରହ
ବିରହ ମିଳିଲା ମୋତେ- ଖୋଜୁ ଖୋଜୁ ମିଳନ,
ଜୀବନକୁ ଖୋଜୁ ଖୋଜୁ ମିଳିଗଲା ମରଣ ।
ମିଠାକଥା ପଦେ କେହି କହିଦେଇ ପାରୁନି,
ମଥାରେ ହାତ ଲଗାଇ ସାଉଁଳେଇ ଦେଉନି ।
ଦରଦ ଭରା ହୃଦୟ ଗୋଟେ ମୋତେ ମିଳୁନି,
ଅନ୍ଧାର ଘେରା ଜୀବନେ ଆଶାଦୀପ ଜଳୁନି ।
ପଥହୁଡ଼ା ପଥିକ ମୁଁ ଦିଗହରା ନାବିକ,
କାଲିର ନାୟକ ଆଜି ହେଲି ଖଳନାୟକ ।
ମନ ଖୋଜି ପାଏନାହିଁ ମୋ ଦୁଃଖର କାରଣ,
କେହି ହାତ ବଢ଼େଇଲେ ଆଶାହେବ ପୂରଣ ।
ଦୁଃଖକୁ ନିଜର କରି ଯାତନାକୁ ବରିଛି,
ବେଦନାକୁ କାନ୍ଧେ ଧରି ଏକାଏକା ଘୂରୁଛି ।
ଯେତିକି ପାଇଛି ମୁହିଁ ଆଉ କିଛି ଲୋଡ଼େନା,
ସବୁଦୋଷ ମୋର ଅନ୍ୟ କାହା ଦୋଷ ଦିଏନା ।
ସ୍ମୃତି ବୋଲି ଆଉ କିଛି ରଖିବିନି ଜୀବନେ,
ଆଜିଠାରୁ ତୁମେ ଆଉ ଆସିବନି ସପନେ ।
ଛାଡ଼ି ଦେଇଛି ମୁଁ ଯାହା ହେଲା ସିଏ ଅତୀତ,
ଭୁଲି ଯାଇଛି ବିରହେ ରୁହ ତୁମେ ନିଶ୍ଚିନ୍ତ ।
ମରୁଝର ଦେଖି ଜଳ କେହି ଜଣେ ଦେବ ତ,
ନିରାଶା ମରୁରେ ମୋତେ ବଞ୍ଚିବାକୁ ହେବ ତ ।
ମୋ ଆଗରେ ଦିଶେ ଖାଲି କଳାଛାଇ ବାଦଲ,
ଉଜୁଡ଼ା ଜୀବନ ମୋର ଗାଏ ଶୋକ ଗଜଲ ।
ଜୀବନ ଦୀପଟି ମୋର ଲିଭିଲିଭି ଆସୁଛି,
ସକଳ ସୁଖ ସପନ ଦୁଃଖହେଇ ଦିଶୁଛି ।
ଲେପନ କଲି ଚନ୍ଦନ ପାଇବାକୁ ଶୀତଳ,
ସନ୍ନିପାତ ହେଲା ଅମୃତ ହୋଇଲା ଗରଳ ।
ଦହନ ଦାଉକୁ ଆଉ କେତେଦିନ ସହିବି ?
ଆରଜନମକୁ ପୁଣି ସବୁ ସତ କହିବି ।