ବିଲୁପ୍ତ ବିଭୁତି
ବିଲୁପ୍ତ ବିଭୁତି


ମନକୁ ବୁଝେଇ ସୁଝେଇ
ମନରେ ଉଠୁଥିବା
ଅସରନ୍ତି ଆକାଂକ୍ଷାକୁ ଦବେଇ
ମନତଳେ ତରଳୁଥିବା
ଅସଂଖ୍ୟ ମନୋରଥକୁ ଚହଳେଇ
ମନକୋଳେ ଶୋଇଥିବା
ଅନାବିଳ ସମ୍ଭାବନାକୁ କୁତୁକୁତେଇ
ଥକି ଗଲିଣି ଯେମିତି
ବସି ଗଲିଣି ଯେମିତି
ସ୍ଥବିର ବୃଦ୍ଧ ପରି ଭାଗ୍ୟଫଳକୁ ଆଦରିନେଇ
କହନ୍ତି ସଭିଏଁ
ଇଚ୍ଛା ପରା ବେଗବତୀ ନଈ
ଅଭିପ୍ସା ପରା ଅନାସକ୍ତ ଛଇ
ଆଉ ଲଗାମହୀନ
କଳ୍ପନା ପ୍ରସୂତ ଚେତନା କୂଳରେ
ଆଉ ପଘାହୀନ
ଜୀବନ ଯମୁନା କଦମ୍ବ ମୂଳରେ
କାହିଁକି ଏତେ କଳ କଲ୍ଲୋଳ
କାହିଁକି ଏତେ ବିକଟାଳ କଳରୋଳ
କାହିଁକି ଏତେ ଅସମ୍ଭାଳ ହେଣ୍ଟାଳ
ସ୍ବପ୍ନ ସାଗର ଗର୍ଭରେ ଲୀନ ହେଲାଣି
ଅଢ଼େଇ ଦିନର ବଢ଼େଇ
ବର୍ତ୍ତମାନର ଚୋରାବାଲିରେ ଧୋଇ ଗଲାଣି
ସିକତଯୁକ୍ତ ବେଳାଭୂମୀ ଛାଇ
ଭବିଷ୍ୟତର ସୁଦୀର୍ଘଗାମୀ ରାଜରାସ୍ତା ଡେଇଁ
ପଡିଲାଣି
ମୃତପ୍ରାୟ ଯୌବନାଦୀପ୍ତ ଲାବଣ୍ୟ ରାଇ
ବିଭୁଆଶ୍ରିତ ସଚ୍ଚିଦାନନ୍ଦମାର୍ଗେ ପଡିଛି ଚେଇଁ
ବିଲୁପ୍ତ ବିଭୁତି ଆଶ୍ରାରେ ଧ୍ୟାନ ଧାରଣା ମୁଣ୍ଡେଇ