ବିଦ୍ରୋହୀ
ବିଦ୍ରୋହୀ
କୁହ ବୀର
କୁହ ସଦା ଉନ୍ନତ ମୋର ଶିର
ମଥା ଦୃଷ୍ଟି କର
ମୋର ନତ ଶିର
ସେଇ ଶିଖର ହିମାଦ୍ରୀର
କୁହ ବୀର !
କୁହ ମହାବିଶ୍ବର ମହାକାଶକୁ ଫାଡି,
ଚନ୍ଦ୍ର ସୂର୍ଯ୍ୟ ଗ୍ରହ ତାରା ଛାଡି,
ଭୂଲୋକ ଦ୍ୟୁଲୋକ ଗୋଲକକୁ ଭେଦି,
ଈଶ୍ୱରଙ୍କ ସିଂହାସନ ତେଜି
ଉଠିଅଛି ଚିରି ବିଶ୍ବ
ମୁଁ ବିଶ୍ବ ବିଧାତାର !
ମୋ ଲଲାଟେ ଋଦ୍ର ଭଗବାନ
ଜ୍ବଳେ ରାଜ-ରାଜଟୀକା
ଦୀପ୍ତ ଜୟଶ୍ରୀର,
କୁହ ବୀର
ଚୀର ଉନ୍ନତ ମୋର ଶିର
ମୁଁ ଯେ ଚୀର ଦୁର୍ଦ୍ଦମ,
ଦୂର୍ବୀନୀତ, ଏକୁଟିଆ
ମହା ପ୍ରଳୟର
ମୁଁ ନଟରାଜ
ମୁଁ ସାଇକ୍ଲୋନ,
ମୁଁ ଧ୍ବଂସ।
ମୁଁ ମହା ଭୟ,
ମୁଁ ଅଭିଶାପ ପୃଥିବୀର
ମୁଁ ଦୂର୍ବାର,
ମୁଁ ଭଗ୍ନ କରି ସବୁ ଚୁରମାର!
ମୁଁ ଅନିୟମ, ଉଚ୍ଛୃଙ୍ଖଳ
ମୁଁ ଦଳିଦିଏ ଯାଇ
ଯେତେ ବନ୍ଧନ
ଯେତେ ନିୟମ କାନୁନ ଶୃଙ୍ଖଳ
ମୁଁ ମାନେନା କାହାର ଆଇନ
ମୁଁ ବୁଡିବା ନାଆର ରକ୍ଷାକାରୀ
ମୁଁ ଟର୍ପେଡୋ
ମୁଁ ଭୀମ ଭାସମାନ ମହିୟାନ
ମୁଁ ଧୂର୍ଜଟୀ
ମୁଁ ଉଜ୍ଜ୍ୱଳର ଝର ଅକାଳ ବୈଶାଖିର
ମୁଁ ବିଦ୍ରୋହୀ,
ମୁଁ ବିଦ୍ରୋହୀ ପୁତ୍ର ବିଶ୍ୱ ବିଧାତାଙ୍କର
କୁହ ବୀର
କୁହ ସଦା ଉନ୍ନତ ମୋର ଶିର।
ମୁଁ ତୋଫାନ,
ମୁଁ ଘୂର୍ଣ୍ଣନ,
ମୁଁ ବିଷ୍ଫୋଟ୍
ସାମନାରେ ଯାହା ପାଏ କରିଦିଏ ଚୂର୍ଣ।
ମୁଁ ନୃତ୍ୟ ପାଗଳ ଛନ୍ଦ,
ମୁଁ ନିଜର ତାଳରେ ନାଚି ଯାଏ
ମୁଁ ମୁକ୍ତ ଜୀବନାନନ୍ଦ।
ମୁଁ ହାମବେର
ମୁଁ ଛାୟାପଥ
ମୁଁ ହିନ୍ଦୋଳ
ମୁଁ ଚଳଚଞ୍ଚଳ, ଠମକି, ଚମକି,
ବାଟେ ଯାଉ ଯାଉ ଚକିତ ଚମକି
କୁଦିଉଠେ ବଜାଇ ଢୋଲ
ମୁଁ ଚପଳା ଚପଳ ହିନ୍ଦୋଳ।
ମୁଁ ତାହା କରେ ଭାଇ
ଯେତେବେଳେ ଚାହେଁ ଯାହା ମନ
କରେ ଶତ୍ରୁର ସହ ଗାଳି ଗୋଳ
ଧରି ମୃତ୍ୟୁର ସହ ଲଗାଏ ପନ୍ଝା
ମୁଁ ଉନ୍ମାଦ, ମୁଁ ଝଙ୍ଝା
ମୁଁ ମହାମାରୀ
ମୁଁ ଭିତ୍ତି ଏ ଧରିତ୍ରୀର
ମୁଁ ଶାସନ ତ୍ରାସଣ ସଂହାର
ମୁଁ ଉଷ୍ଣ ଚୀର ଅଧୀର
କୁହ ବୀର
କୁହ ସଦା ଉନ୍ନତ ମୋର ଶୀର।
ମୁଁ ଚୀର ଦୂରନ୍ତ, ଦୂର୍ମଦ
ମୁଁ ଦୁର୍ଦମ
ମୋ ପ୍ରାଣର ପିଆଲା ସବୁବେଳେ
ହଁ, ସବୁବେଳେ ମଦ୍ୟେ ଭରପୁର।
ମୁଁ ହୋମ ଶିଖା
ମୁଁ ଯମଦଗ୍ନି
ମୁଁ ଯଜ୍ଞ,
ମୁଁ ପୁରୋହିତ,
ମୁଁ ଅଗ୍ନି
ମୁଁ ସୃଷ୍ଟି,
ମୁଁ ଧ୍ବଂସ
ମୁଁ ଜନପଦ,
ମୁଁ ଶ୍ମଶାନ
ମୁଁ ଅବସାନ, ରାତ୍ରି ଅବସାନ
ମୁଁ ଇନ୍ଦ୍ରାଣୀ ସୁତ, ହାତେ ଜହ୍ନ, ଭାବେ ସୂର୍ଯ୍ୟ
ମୋ ଗୋଟିଏ ହାତରେ ବଂଶୀ ଆମ ରଣତୃଷ୍ଣ ।
ମୁଁ ନୀଳକଣ୍ଠ, ମନ୍ଥନ ବିଷ ପିଆ ବ୍ୟଥା ବାରିଧିର।
ମୁଁ ବ୍ୟୋମକେଶ, ଧରି ବନ୍ଧନ ହରା ଧାରା ଗଙ୍ଗୋତ୍ରୀର।
କୁହ ବୀର
କୁହ ସଦା ଉନ୍ନତ ମୋର ଶୀର।
ମୁଁ ସନ୍ୟାସୀ, ସୂର ସୈନିକ
ମୁଁ ଯୁବରାଜ,
ମୋ ରାଜବେଶ ମ୍ଳାନ ଗୈରିକ
ମୁଁ ବାଗୀ,
ମୁଁ ଚଂଗେଜ
ମୁଁ ନିଜ ଛଡା କେବେ କରେନା କାହାକୁ ସାଲିସ୍।
ମୁଁ ବଜ୍ର,
ମୁଁ ବ୍ରହ୍ମାଙ୍କର ହୁଙ୍କାର
ମୁଁ ଇଶାଫିଲ ତୂରୀ ମହା ହୁଙ୍କାର
ମୁଁ ଶିବଙ୍କ ହାତର ଡମ୍ବରୁ ତ୍ରିଶୁଳ
ଧର୍ମରାଜଙ୍କର ଦଣ୍ଡ
ମୁଁ ଚକ୍ର ଓ ମହା ଶଙ୍ଖ
ମୁଁ ପ୍ରଣବ ନାଦ ପ୍ରଚଣ୍ଡ।
ମୁଁ ରାଗୀ ଦୂର୍ବାସା
ବିଶ୍ଵାମିତ୍ର ଶିଷ୍ୟ
ମୁଁ ଦାବାନଳ ଦାହ,
ଦହନ କରିବି ବିଶ୍ୱ
ମୁଁ ପ୍ରାଣଖୋଲା ହସ ଉଲ୍ଲାସ
ମୁଁ ସୃଷ୍ଟି ବୈରୀ ମହାତ୍ରାସ।
ମୁଁ ମହା ପ୍ରଳୟର ବାଦଶାହ
ରବିର ରାହୁ ଗ୍ରାସ।
ମୁଁ କେବେ ପ୍ରଶାନ୍ତ, କେବେ ଅଶାନ୍ତ
ଖୁବ୍ ସ୍ବେଚ୍ଛାଚାରୀ
ମୁଁ ଅରୁଣ ରକ୍ତର ତରୁଣ
ମୁଁ ବିଧିର ଦର୍ପହାରୀ
ମୁଁ ପ୍ରଭଞ୍ଜନ ଜନ୍ମା ଉଲ୍ଲାସ
ମୁଁ ବାରିଧିର ମହାକଲ୍ଲୋଳ,
ମୁଁ ଉଜ୍ଜ୍ୱଳ, ମୁଁ ପ୍ରଜ୍ବଳ
ମୁଁ ସଲୀଳ ଜଳ, ଛଳ ଛଳ ଉର୍ମୀ ହିନ୍ଦୋଳ ଦୋଳ
ମୁଁ ବନ୍ଧନହରା କୁମାରୀର ବେଣୀ
ତାହାରି ନୟନେ ବହ୍ନୀ
ମୁଁ ସରସୀର ହୃଦ ସରସୀଜ
ପ୍ରେମ ଉଦ୍ଦାମ
ମୁଁ ଧନୀ
ମୁଁ ଆନମନ
ଉଦାସ ମନର
ମୁଁ ବିଧବାର ହୃଦ କ୍ରନ୍ଦନ
ସାହସ, ହା ହୁତାସ
ମୁଁ ହତାସର
ମୁଁ ବଞ୍ଚିତ ବ୍ଯଥା
ପାନ୍ଥଶାଳା ଯେତେ ଚୀର ବାଟହରା ପଥିକ,
ମୁଁ ଅପମାନିତର ମରମ ବେଦନା, ବିଷ ଜ୍ବାଳା,
ପ୍ରୀୟ ଲାଞ୍ଛିତ ବୁକୁ ଆଶ୍ବାସନା
ମୁଁ ଅଭିମାନୀ,
ଚୀର କ୍ଷୁବ୍ଧ ହୃଦୟ ଗହ୍ବର
ବ୍ଯଥା ଶୁଣି ବୀର।
ଚିତ୍ତ ଚୁମ୍ବନ, ଥର କମ୍ପନ ମୁଁ
ଥର ଥର ଥର ପ୍ରଥମ ପରଶ କୁମାରୀର
ମୁଁ ଗୋପନ ପ୍ରୀୟାର ଚକିତ ଚାହାଣୀ
ଛଳ କରି ଦେଖ ଅନୁକ୍ଷଣ।
ମୁଁ ଚପଳ ନାରୀର ପ୍ରେମ
ତା'ର କଙ୍କଣ ଚୁଡ଼ିର ଖଣଖଣ।
ମୁଁ ଚୀର ଶିଶୁ, ଚୀର କିଶୋର
ମୁଁ ଯଉବନ ଲାଜେଇ
ପଲ୍ଲୀବାଳାର
କାନିର ଆକର୍ଷଣ
ମୁଁ ଉତ୍ତର ବାୟୁ, ମଳୟ ଅଗ୍ନି
ଉଦାସ ପୂରବୀ ବାଆ
ମୁଁ ପଥିକ କବିର ଗଭୀର ରାଗିଣୀ
ବେଣୁ ବିନା ଗୀତେ ଉଭା
ମୁଁ ଆକୁଳ ନିଦାଘ ତୃଷ୍ଣା
ମୁଁ ରୌଦ୍ର ରୁଦ୍ର ରବି
ମୁଁ ମରୁ ନିର୍ଝର ଝର ଝର
ମୁଁ ଶ୍ୟାମଳିମା ଛାୟା ଛବି।
ମୁଁ ତୂରୀୟ ଆନନ୍ଦ ଛୁଆଁ ଛଇ
ଏ କି ଉନ୍ମାଦ, ମୁଁ ଉନ୍ମଦ।
ମୁଁ ସହସା ଚିହ୍ନିଛି ନିଜକୁ
ମୋର ଖୋଲି ଯାଏ ସବୁ ବନ୍ଧନ।
ମୁଁ ଉତଥାନ
ମୁଁ ପତନ
ମୁଁ ଅଚେତନ, ଚିଦ୍ ଚେତନ
ମୁଁ ବିଶ୍ୱ ଦ୍ବାରର ବୈଜୟନ୍ତୀ
ମାନବ ବିଜୟ କେତନ।
ଛୁଟି ଝଡ ଭଳି କରତାଳି ଦିଆ
ସ୍ବର୍ଗ ମର୍ତ୍ତ୍ୟ କରତୋଳା
ତାଜି, ବୋରାକ୍ ଓ ଉଚ୍ଚୈଶ୍ରବା ମୋ ବାହନ
ମୁଁ ହେର୍ଶ୍ବାରାବର ଉତ୍ତଳା।
ମୁଁ ବସୁଧା ବୁକୁରେ ଆଗ୍ନେୟଗିରି
ରୁଦ୍ର ବହ୍ନି, କାଳାନଳ।
ମୁଁ ପାତାଳ ମାତାଲ
ନିଜ ପଥର କଲ୍ଲୋଳ, କୋଳ କୋଳାହଳ!
ମୁଁ ଜଙ୍ଗଲର ବ୍ୟାପ୍ତ ଅଗ୍ନି
ମୁଁ ପାତାଳ ପାଗଳ ଦୂର୍ଦଷ ସାଗରର ଉତ୍ତେଜନା
ମୁଁ ତ୍ରାସ ସଂଚରି ଭୁବନ ସହସ୍ର ସଂଚାରି ଭୂମିକମ୍ପ
ଧରି ବାସୁକି ଫଣାର ରୂପ
ଧରି ସ୍ବର୍ଗୀୟ ଦୂତ ଜୀବ୍ରାଏଲର ଆଗମନର ଜ୍ବଳନ୍ତ ଅଂଜନ
ମୁଁ ବିଷ, ମୁଁ ଅମୃତ, ମୁଁ ସମୁଦ୍ର ମନ୍ଥନ।
ମୁଁ ଦେବଶିଶୁ, ମୁଁ ଚଞ୍ଚଳ
ମୁଁ ଦୃଷ୍ଟ,
ମୁଁ ମୁଖ ଚିରି ଦୃଶ୍ୟ ବିଶ୍ୱ ମାତୃତ୍ୱର ଆଞ୍ଚଳ।
ମୁଁ ଅରଫିଆସିର ବଂଶୀ
ମହା ସିନ୍ଧୁ ଉତ୍ତାଳର ଶବ୍ଦ
ନିଦର ଛୁଆଁ ଦେଇ ନିଖିଳ ବିଶ୍ବେ ପ୍ରସରି
ମୁଁ ବଇଁଶିର ଟଣା ମୂର୍ଚ୍ଛନା
ମୁଁ ଶ୍ୟାମ ହସ୍ତର ବଂଶୀ
ମୁଁ ରୁଷି ଉଠେ ଯେବେ
ଛୁଟି ମହାକାଶ ଯାଏ ଛପି
ମୁଁ ବିଦ୍ରୋହୀ - ନିଏ ନିଖିଳ ଅଖିଳ ସମୃଦ୍ଧି।
ମୁଁ ଶ୍ରାବଣ ପ୍ଳାବନ ବନ୍ୟା
କେବେ ଧରଣୀର କରେ ବରେଣ୍ୟା
କେବେ ବିପୁଳ ଧ୍ବଂସ ଧନ୍ୟା
ମୁଁ ଛଡାଇ ଆଣିବି ବିଷ୍ଣୁ ବକ୍ଷ
ହୋଇ ତା ଯୁଗଳ କନ୍ୟା।
ମୁଁ ଅନ୍ୟାୟ,
ମୁଁ ଉଲକା ,
ମୁଁ ଶନି
ମୁଁ ଧୂମକେତୁ ଜ୍ବାଳା,
ବିଷଧର କାଳ ଫଣା।
ମୁଁ ଛିନ୍ନମସ୍ତା ମହା ଚଣ୍ଡୀ
ମୁଁ ବିଧ୍ବଂସି ସର୍ବନାଶୀ।
ମୁଁ ନର୍କର ଅଗୁଣ ବାସୀ
ହସ ପୁଷ୍ପ ସ୍ମୀତହାସି।
ମୁଁ ମୃଣ୍ମୟ,
ମୁଁ ଚିନ୍ମୟ,
ମୁଁ ଅଜବ ଅମର ଅକ୍ଷୟ,
ମୁଁ ଅଭୟୀ।
ମୁଁ ମାନବ, ଦାନବ ଦେବତାର ଭୟ
ବିଶ୍ବର ମୁଁ ଚୀର ଦୂର୍ଜୟ,
ଜଗଦୀଶ୍ବର ମୁଁ ପୁରୁଷୋତ୍ତମ ସତ୍ୟ
ମୁଁ ତା ଥେଇ ତା ଥେଇ ଘୁରେ
ସ୍ବର୍ଗ ପାତାଳ ମର୍ତ୍ତ୍ୟ।
ମୁଁ ଉନ୍ମାଦ, ମୁଁ ଉନ୍ମଦ !!
ମୁଁ ଚିହ୍ନିଅଛି ମୋତେ,
ଆଜି ଯେ ମୋହର
ଖୋଲି ତ ଯାଇଛି ବନ୍ଧ।
ମୁଁ ପର୍ଷୁରାମର କଠୋର କୁଠାର
ନିଃକ୍ଷତ୍ରୀୟ କରିବ ବିଶ୍ୱ
ଆଣିବ ଶାନ୍ତି ଶାନ୍ତ ଉଦାର।
ମୁଁ ହଳ ବଳରାମ କାନ୍ଧେ
ମୁଁ ଉପାଡି ଫିଙ୍ଗିବି ଅଧୀନ ବିଶ୍ୱ
ଅବହେଳେ ନେବ ସୃଷ୍ଟିର ମହାନନ୍ଦେ।
ମହା - ବିଦ୍ରୋହୀ ରଣ କ୍ଳାନ୍ତ
ମୁଁ ସେହି ଦିନ ହେବି ଶାନ୍ତ
ଯେବେ ଉତ୍ପିଡିତର କ୍ରନ୍ଦନରୋଳ
ଆକାଶେ ବତାଶେ ଶୁଭିବନି
ଅତ୍ୟାଚାରୀର ଖଡଗ କୃପାଣ
ଭୀମ ରଣକ୍ଷେତ୍ରେ ଲଢିବନି
ବିଦ୍ରୋହୀ ରଣ କ୍ଳାତ
ମୁଁ ସେହି ଦିନ ହେବି ଶାନ୍ତ।
ମୁଁ ବିଦ୍ରୋହୀ ଭୃଗୁ,
ଭଗବାନଙ୍କର ହୃଦେ ଆଙ୍କେ ପଦ ଚିହ୍ନ
ଆଣି ସ୍ରଷ୍ଟା ସୃଜନ
ଶୋକ ତାପ ହଣା
ଖିଆଲି ବିଧିର
ବକ୍ଷ କରିବ ଛିନ୍ନ।
ମୁଁ ଚୀର ବିଦ୍ରୋହୀ ବୀର
ବିଶ୍ବ ଛାଡି ଉଠିଅଛି ଏକା
ଚୀର ଉନ୍ନତ ଶିର!
ମୂଳ ରଚନା : କାଜୀ ନଜରୁଲ ଇସଲାମ
ଅନୁସୃଜନ : ସୁଧିର କୁମାର ପଣ୍ଡା, ବ୍ରହ୍ମପୁର 9337782912
କାଜୀ ନଜରୂଲ ଇସଲାମ ( ଜନ୍ମ : ଆଶାନସୋଲ, ଜିଲ୍ଲା ବର୍ଦ୍ଧମାନ,ପଶ୍ଚିମବଙ୍ଗ ୨୪-୫-୧୮୯୯, ତିରୋଧାନ : ୨୯-୮-୧୯୭୬,ଢାକା,ବାଂଲାଦେଶ) ଜାତୀୟ କବି। ସେ ଏକାଧାରରେ କବି, ଲେଖକ, ସଙ୍ଗୀତଜ୍ଞ ଏବଂ ଆନ୍ଦୋଳନକାରୀ। ତାଙ୍କର ଉଭୟ ଧାର୍ମିକ ଓ ଦେଶପ୍ରେମୀ ବୈପ୍ଳବିକ କବିତା ବହୁଜନ ଆଦୃତ। ଉପରୋକ୍ତ କବିତାଟି ତାଙ୍କର ଏକ ଶ୍ରେଷ୍ଠ କୃତୀ ଯାହାପାଇଁ ସେ " ବିଦ୍ରୋହୀ କବି " ଭାବରେ ଜନାଦୃତ। ତାଙ୍କର କୃଷ୍ଣ ଭଜନ ଓ ନଜରୂଲଗୀତି ଅତ୍ୟନ୍ତ ମନଛୁଆଁ।