ବିଦଗ୍ଧ ସ୍ୱପ୍ନ
ବିଦଗ୍ଧ ସ୍ୱପ୍ନ
ଜୀବନଟା ଏକ ସପନ ଭେଳିକି,
ଏଓଳି ଥିବ ନଥିବ ସେ ଓଳିକି।
ସଂସାର ଅସାର ଭବ ଭୂମି ଭାର,
ସରିବ ଜୁଇରେ ଜଳିକି।
ନିଦ ଭାଙ୍ଗିଯିବ ସପନ ଭାଙ୍ଗିବ
କିଏ କଳିପାରେ କି ହେବ କାଲିକି।
ସପନ ବଣିକ ସପନ ବିଞ୍ଚୁଛି,
ଚିରନ୍ତନ ସତ୍ୟ ରହିଥା ଜାଣିକି।
ମାୟା ବି ସପନ ମମତା ସପନ,
ପୁତ୍ର କନ୍ୟା ସ୍ୱପ୍ନ ପିତାମାତା ସ୍ୱପ୍ନ।
ଦୁଃଖ ବି ସପନ ସୁଖ ବି ସପନ,
ସ୍ୱପ୍ନ ବାଲିଘର ନୁହେଁ ଚିରନ୍ତନ।
ସଫଳ ହେଲେ ବି ତାହା ଏକ ସ୍ୱପ୍ନ,
ଅସଫଳତା ବି ଅଟଇ ଦୁଃସ୍ୱପ୍ନ।
ଛଖଣ୍ଡ କାଠରେ ମରିବ ଜୀବନ,
କାଳ ହରିନେବ ସରିବ ସପନ।
ସମୟ ସପନ କାଳ ବି ସପନ,
ଦିବସ ସପନ ରାତ୍ରି ବି ସପନ।
ପକ୍ଷ ବି ସପନ ମାସ ଅଟେ ସ୍ୱପ୍ନ,
ବର୍ଷ ଅଟେ ସ୍ୱପ୍ନ ଯୁଗ ବି ସପନ।
ଦଇବ ଦଉଡ଼ି ନେବ ଆକର୍ଷିଣ,
ବିଧିର ବିଧାନ କେ କରିବ ଆନ।
ଭାସ୍କର ନିଷ୍କର ଗ୍ରହ ତାରାଗଣ,
ପଲ୍ଲବ କୁସୁମ ବୃକ୍ଷ ଲତା ବଣ,
ସପନର ସୃଷ୍ଟି ସୃଷ୍ଟିର ସପନ।
ସ୍ପନ୍ଦନ ସପନ ହୃଦୟ ସପନ,
ହୃଦୟର ଗତି କ୍ଷଣେ ଅଟକିଲେ,
ସ୍ଥିର ହେବ ପ୍ରାଣ ନିଥର ସପନ।
ନିଦ୍ରା ବି ସପନ ସ୍ୱପ୍ନ ଜାଗରଣ,
ଜଡ଼ ଅଟେ ସ୍ୱପ୍ନ ସପନ ଚେତନ।
ଦୃଷ୍ଟି ଅଟେ ସ୍ୱପ୍ନ ଶ୍ରବଣ ସପନ,
ଘ୍ରାଣ ବି ସପନ ସ୍ୱାଦ ପରା ସ୍ୱପ୍ନ,
ସ୍ପର୍ଶ ଆଦି ପଞ୍ଚ ଇନ୍ଦ୍ରିୟ ସପନ।
ପ୍ରେମ କରେ ସିନା ଶରୀରରେ ମନ,
ଶୂନ୍ୟ ଗାଣିତିକ ଉତ୍ତର ସପନ।
ଦୂର ଦିଗନ୍ତରେ ଦିଗ୍ ବଳୟ ସ୍ୱପ୍ନ,
ବିଦଗ୍ଧ ମରୁରେ ମରୀଚିକା ସ୍ୱପ୍ନ।
ମୟୂର କାକଳି ପିକ କୁହୁତାନ,
ବାଳୁତ ବଚନ ନାମ ସଂକୀର୍ତ୍ତନ,
ସବୁତ ସପନ,ଅବାସ୍ତବ ସ୍ୱପ୍ନ।
କେତେ ଆସି କେତେ ଗଲେ ଲେଉଟିଣ,
ପାଲଟିଲେ ସର୍ବେ ସ୍ମରଣ ସପନ।
ଶୂନ୍ୟ ଦୁନିଆରେ ପ୍ରଶ୍ନଟି ସପନ,
ଉତ୍ତର ଲୋଡ଼ିବ ବିଭୂ ପଦେ ଜାଣ।
ପରମ ଆତ୍ମାକୁ କଲେଟି ସ୍ମରଣ,
ସେହି ଏକା ସତ୍ୟ ନୁହଁଇ ସପନ,
ସପନର ଦୁନିଆରେ ବିଞ୍ଚୁଥାଏ,
ସପନ ବଣିକ ଅଜସ୍ର ସପନ।
ଅନ୍ଧାର ସପନ ଆଲୋକ ସପନ,
ତୁମେ ତ ସପନ ମୁଁ ବି ସପନ।
ସପନର ସୌଦାଗର ଜଣେ ସେହି,
ସବୁତ ସପନ ଚିରନ୍ତନ ସେହି।
ସତ୍ୟ ଏକା ସେହି ଜଣେ କରିତ୍ କର୍ମା,
ସ୍ୱପ୍ନ କାରିଗର ସେହି ବିଶ୍ୱକର୍ମା।
ଆରତୀ ସାହୁ (ଆଶା)
ବସନ୍ତ ବିହାର
ନୂଆଦିଲ୍ଲୀ