ବିଦେହୀ ଆତ୍ମାର ସ୍ୱର
ବିଦେହୀ ଆତ୍ମାର ସ୍ୱର
ଦେହରୁ ଅଳସ ତେଜି
ମନ୍ଦ ମନ୍ଦ ହସ ହସି
ମଳୟ ବହୁଛି
ଚାରିଆଡେ ରଙ୍ଗର ପଟୁଆର
ମଉଳା ଫୁଲର ବାସେ
ଫଗୁଣ ଆସିଛି
ପ୍ରତିକ୍ଷାର ଲମ୍ବା ରାସ୍ତା କିନ୍ତୁ
ସରୁନାହିଁ, ଆହୁରି ଲମ୍ବୁଛି I
ନୂଆ ନୂଆ କଅଁଳୁଥିବା
ପତ୍ରଙ୍କ କୋଳାହଳରେ
ହଜି ଯାଉଛି ଝରାପତ୍ରଙ୍କର ମର୍ମର
କୋଇଲି କଣ୍ଠର
ମିଠା ମିଠା ଗୀତ ତଳେ
ଲୁଚି ଯାଉଛି ବିରହୀ ଆତ୍ମାର ସ୍ୱର
ବିରହର ଋତୁ କିନ୍ତୁ ଏଯାଏ ସରିନି I
ବଉଳି ଯାଇଛି ଗଛ ସବୁ
ନାକରେ ବାଜୁନି କିନ୍ତୁ
ମିଠାପଣ ଫୁଲର ମହକ
ମଳିନ ଦିଶୁଛି ଏବେ ଫଗୁଣର ଫଗୁ
ନିଜକୁ ନିଜେ ସଜେଇ ହେଉଚି
ହଳଦୀ ବସନ୍ତ
ଜଣାନାହିଁ କାହା ପାଇଁ ସଜବାଜ ତା'ର I
ରହିଯା ରହିଯା ଟିକେ ଫୁଲେଇ ଫଗୁଣ
ରହିଯା ମଳୟ ତୋତେ
ଦେଉଛି ମୁଁ ରାଣ,
ନିଦାଘେ ଆସିବ ବୋଲି କହିଛି ସେ
କୃଷ୍ଣଚୂଡା ରଙ୍ଗ ମାଖିହୋଇ
ଚାଲି ଚାଲି ରଙ୍ଗ ବୁଣି ବୁଣି
ଆଖିଲୁହେ ତିନ୍ତାଇ ଧରଣୀ I