ବିବାହ
ବିବାହ
ଯେତେବେଳେ ତୁହିଁ କିଶୋର ଥିଲୁରେ
ଦେଖିଥିଲୁ ତୁ ସପନ,
ବିବାହ ନ କରି ଦେଶସେବା କରି
ବିତାଇ ଦେବୁରେ ଦିନ ।
ଉଚ୍ଚଶିକ୍ଷା କରି ନ କରି ଚାକିରୀ
ଧରି ହାତରେ କଲମ,
କବି ତୁ ହୋଇବୁ କବିତା ଲେଖିବୁ
ବିରହ-ବେଦନା-ପ୍ରେମ ।
ଅନ୍ୟାୟଠୁଁ ତୁହିଁ ଦୂରରେ ରହିଣ
ନ୍ୟାୟର ପଥରେ ଚାଲି,
ସଭିଙ୍କର ତୁହିଁ ପ୍ରିୟପାତ୍ର ହୋଇ
ଦୁଃଖଶୋକ ଯିବୁ ଭୁଲି ।
ଦେଶସେବା ତୁହିଁ କଲୁରେ ଜୀବନ
ଉଚ୍ଚଶିକ୍ଷା ତୁହିଁ କଲୁ,
ଚାକିରୀ ନ କରି କବିଟିଏ ହୋଇ
ପ୍ରେମ କବିତା ଲେଖିଲୁ ।
ଅନ୍ୟାୟଠୁଁ ତୁହିଁ ଦୂରରେ ରହିଲୁ
ସର୍ବ ପ୍ରିୟପାତ୍ର ହୋଇ,
ବିବାହ ବନ୍ଧନ ଏଡ଼ି ନ ପାରିଲୁ
ସାମାଜିକ ପ୍ରାଣୀ ତୁହିଁ ।
ସମାଜରେ ଯେବେ ଜନ୍ମିଛୁ ଜୀବନ
ସତ୍ୟ ଏହା ଚିରନ୍ତନ,
ବିବାହ କରିବୁ ଦୁଇ ଭାଗ କରି
ତନ-ମନ-ଧନ-ପ୍ରାଣ ।
ଦାମ୍ପତ୍ୟ ଜୀବନେ ଚଳିବାକୁ ହେବ
ଏହା ସାମାଜିକ ପ୍ରଥା,
ବିବାହ ବନ୍ଧନ ସାର୍ଥକ ନ ହେଲେ
ଜୀବନଟା ହୁଏ ବୃଥା ।