ଭୁତମୁଖା
ଭୁତମୁଖା
ତୋ କଥା ଭାବୁ ଭବୁ
ତୁ କାଗଜ ଟୁକୁଡା ପରି ଉଡି ନିରୁଧ୍ଧିଷ୍ଟ ,
ଯେତେ ଭାବେ ଭୁଲିଯିବି, ଭୁଲିଯିବି ତତେ
ତୁ ଛାଟିହେଇ ଆବୋରି ବସୁ ମୋ ମନସତ୍ତା ଆଉ ମତେ।
ଯେତେ ଝାଡିହୁଏ ଛଡେଇ ହେବାକୁ
ସେତେ ସେତେ ତୁ ମନେପଡୁ ,
ଜଡେଇଧରୁ କାନ୍ଥ କୋଣ କୋଣ
ଅଳନ୍ଧୁ ଠୁ ଓଳି ତଳ ଝାଲର ଯାଏ ।
କଣ ଖାଉଥିବୁ, କେମିତି ଥିବୁ, ମତେ ଝୁରୁଥିବୁ କି ନାହିଁ
କାହିଁକି ଏତେ ଭାବି ହୁଏ ମୁଁ ତତେ ନେଇ କେଜାଣି ?
ତୁ ତ ପବନରେ ମିଳେଇ ଯାଉ
ହେଇ ଅଛି ହେଇ ନାହିଁ କହି ।
ଆଖି କୋଣ ଠୁ ପୁଅଡୋଳା ଯାଏ
ଧୁ ଧୁ ଖରା ପରି ପୋଡେ
ତଣ୍ଟି ତଳ ଶୁଖି ଶୁଖି ଛାତିଟା କାଟୁଥାଏ
ଭାରି ଅବାଗିଆ ,
ତୁ ଟା କିନ୍ତୁ ନିଶ୍ଚିତ ଆଉ ନିର୍ଦ୍ବନ୍ଦେ ଥାଉ ।
ମୁଁ ଘାରି ହଉଥାଏ ତୁ ମୋର ପ୍ରିୟ ଥିଲୁ
ଭାବି ଭାବି,
ତୁ କଣ ତୋ ପଟୁ ବି ଏମିତି କେବେ ଭାବିଥିଲୁ?
ବିଶ୍ବାସ, ଅବିଶ୍ବାସ ମଝିରେ
ତ୍ରିଶଙ୍କୁ ମୁଁ ଆଉ ମୋ ଛାଇ ର ଅସ୍ତିତ୍ଵ ।
ଆଜି ଭାବିଛି
ଖରା ଏଇ ସାମ୍ନା ଜାଲଣା ଦେଇ ଆସି
ମତେ ଛୁଇଁ ଥିବ କି ନାହିଁ
ମୁଁ ତତେ ଭୁଲିଯିବି ।
ହେଃ ,ଏମିତି କେତେ ଚେଷ୍ଟା ସରିଛି,
ତୁ କୋଉ ମତେ ଦମ୍ଭ ରେ ରହିବାକୁ ଦଉ କି !
ତୁ ଶୂନ୍ୟ ରେ ପିନ୍ଧେଇଛୁ କି ମୁଁ ମୋ ଇଛ୍ଛା ରେ
ଛଡେଇ ଆଣି ତୋ ଠୁ
ମାଖିହେଇ କାନ୍ଦୁଛି ,
ଯାହାକୁ ଭିଡି ଚିରିଦେଲେ ହି ବଞ୍ଚି ପାରେ
ନୋହିଲେ ପାଲଟିପାରେ
ଗୋଟେ " ଭୁତମୁଖା " ।