ଭୁଲିବାନି ଅତୀତକୁ
ଭୁଲିବାନି ଅତୀତକୁ
କର୍ପୂର ଉଡିଛି, ବାସନା ରହିଛି
ଅତୀତ ଯାଇଛି ଚାଲି।
ଭବିଷ୍ୟତ ଆମ ବାଟକୁ ଚାହିଁଛି
ଅତୀତକୁ ଯିବା ଭୁଲି।
ଅତୀତରେ ଯାହା ଘଟଣା ଘଟିଛି
ସେସବୁ ନାହିଁ କା ମନେ।
ଅତୀତ ଗୌରବ ହୁଏ କାହା ପାଇଁ
ଗୁଞ୍ଜରିତ ହୁଏ କାନେ।
ଯାହାର ଅତୀତ ଗୌରବ ଅଟଇ
ଗରବିତ ହୁଏ ସେଇ।
ବେଦନାରେ ଭରା ଯାହାର ଅତୀତ
କାନ୍ଦେ ସେ ମନେ ପକାଇ।
ଅତୀତ ଆଣଇ ଯୁଗାନ୍ତ ବିପ୍ଳବ
ସୃଷ୍ଟି କରେ ଇତିହାସ।
ଧନୀ ହୋଇଥାଏ, ଗରୀବ ବାପୁଡା
ଗରିବ ମୁହଁରେ ହସ।
ଅତୀତକୁ ଯଦି ଫେରିଚାହଁ ଥରେ
ମନେ ପଡେ ସବୁ କଥା।
ସେଇ ଅତୀତ ହିଁ କହଇ କାନରେ
ଦିଅ ନାହିଁ ମନେ ବ୍ୟଥା।
ବହୁତ ଅଛନ୍ତି, ପାଆନ୍ତି ବେଦନା
ଅତୀତକୁ ଝୁରି ହୋଇ।
ଆଉ କେହି, କେହି ମଜାରେ ରୁହନ୍ତି
ଅତୀତକୁ ଭୁଲିଯାଇ।
ଅତୀତକୁ ଯିଏ ଭୁଲିଯାଏ ଭାଇ
ସିଏ ଅଟେ ଅମଣିଷ।
ଅତୀତ ଆମକୁ ସତମାର୍ଗ ଦିଏ
ମନରେ ଫୁଟାଏ ହସ।
ସଭିଏଁ ଭାବନ୍ତି ଅତୀତକୁ କିଆଁ
ଆହୁରି ମନେ ରହିବା?
ଅତୀତକୁ ଧରି ଆମେ କି ଆଉ
ଆଗକୁ ବଢି ପାରିବା?
ଏଇ କଥା ଯିଏ ଭାବୁଛି ମନରେ
ତାକୁ ହେବ ବୁଝିବାକୁ।
ଆଗକୁ ବଢିବା ପାଇଁ କି ସଭିଏ
ଭୁଲିବାନି ଅତୀତକୁ।
ଅତୀତ ଆମର ସ୍ମୃତିର ସୌଧ
ଭାଙ୍ଗିଗଲେ କଷ୍ଟ ହୁଏ।
ଭବିଷ୍ୟତ ତାର କଙ୍କାଳରେ ଗଢା
ସନମାନ ଆଣି ଦିଏ।
ଅତୀତକୁ ଆମେ ଭୁଲିବାନି କେବେ
ମନେ ଗୁମୁରି କାନ୍ଦିବା।
ସେଇ କାନ୍ଦଣାର ଲୁହରେ ଆମର
ସ୍ମୃତି ସୌଧ ଗଢୁଥିବା।