ଭୁଲାଇ ଦେଲା ବାଟ(ଭିଟାମାଟି)
ଭୁଲାଇ ଦେଲା ବାଟ(ଭିଟାମାଟି)
ଚକଚକିଆ ସହର ମୋତେ
ଭୁଲାଇ ଦେଲା ବାଟ
(ତା)ମୋହିନୀ ମାୟା ଜାଲରେ ପଡ଼ି
ହେଉଛି ଛଟପଟ ।।
ଭେଜାଲ ତେଲ ଡାଲି ଚାଉଳ
ଫଳ ପରିବା ଯେତେ
ଜହର ମିଶା ମରିଲା ଆଶା
ଅଜଣା ରୋଗ ସାଥେ ।।
ଭାବିଥିଲି ମୁଁ ନାବେ ବସିଛି
ତୃଷାକୁ କିବା ଡର
ଜାଣିନଥିଲି ମରୁ ପ୍ରାନ୍ତରେ
ରଖିଛି ପାଦ ମୋର ।।
ଭାବିଥିଲି ମୁଁ କିହେବ ଧନ
ଅଳକା ପୁରେ ବାସ
ମାୟାବିନୀ ର କୁହୁକମାୟା ୟେ
କରେ ମୋତେ ହତାଶ ।।
ସାତପୁରୁଷ ଭିଟାମାଟି କୁ
କରିଲି ହତାଦର
ଭୁଲିଗଲି ତା ସ୍ନେହ ସୋ଼ହାଗ
ତା’ର ଅଭୟ କୋଳ ।।
ତା ମାଟିଘର ଚାଳ ଛପର
ବଣ ପାହାଡ ଯେତେ
ତା ନଇକୂଳ ତୁଠ ପଥର
ଭୁଲିଲି ଆସି ଏଥେ ।।
ଚଉରା ମୂଳ ସଞ୍ଜ ସଳିତା
ମନ୍ଦିର ଘଣ୍ଟ ଧ୍ଵନି
ଧୂଳି ଧୂସର ଗାଆଁ ଦାଣ୍ଡ ତା
ଝରଣା କୂଅ ପାଣି ।।
ପୀୟୂଷ ସମ ଜୀବନି ଶକ୍ତି
ଗାଆଁ ର ମାଟି ପାଣି
ତା ଡ଼ାକ ଏବେ ଶୁଭୁଚି ଫେରି
ଆଆ ମୋ ଧନ ମଣି ।।