ଭ୍ରାନ୍ତ ପଥିକ
ଭ୍ରାନ୍ତ ପଥିକ
ହେ ଭ୍ରାନ୍ତ ପଥିକ !
କି କାରଣେ ହୁଅ ପଥ ବଣା ?
ଅଗମ୍ୟ ଜଟିଳ ପଥ
ଜାଣି କିବା ହେଉଛ ଅଜଣା ?
କିବା ତୁମ ନୟନ-ଅୟନେ
ଅଦୃଶ୍ୟରେ ଥାଇ କିଏ
ମାୟାର-ଅଞ୍ଜନ ବୋଳି
ଆଖିଥାଉଁ କରିଦେଲା କଣା ?
ତୁମେ କି ପାରୁନ ଦେଖି
ଚ଼ତୁର୍ଦ୍ଦିଗେ ଖାଲି କଣ୍ଟାଝଣ୍ଟା
ବଣ ଆଉ ପାହାଡ଼-ପର୍ବତ,
ତୁମେ କି ପାରୁନି ଶୁଣି
ସେ ପଥରେ ହିଂସ୍ର ଆଉ ବିଷଧରଙ୍କର
ବିକଟ ଚିତ୍କାର ଆଉ
ଫୁ..ଫୁ..କାର ଧ୍ବନି
ପ୍ରତିକ୍ଷଣେ ହୁଏ ନିନାଦିତ ।
ଯଦିବା ଚାଲିବ ତୁମେ
ଜୀବନର ଆଶା ନେଇ
ସେ ସବୁକୁ ଖାତିର ନକରି
ସହିବହୁ ଦୁଃଖ ଓ ଯନ୍ତ୍ରଣା,
ତଥାପି ବି ହାରିଯିବ
ବନ୍ଦୀ ହେବ ମହାକାଳ-ପାଶେ
ନ ପାଇବ ଜୀବନର
ଶେଷ ଇପ୍ ସିତ ଠିକଣା ।
ତେଣୁ ତୁମେ ହେ ଭ୍ରାନ୍ତ ପଥିକ!
ଏବେ ବି ସମୟ ଅଛି
ଯଥାଶୀଘ୍ର ଫେରିଆସ
ସେ ଦୁର୍ଗମ ପଥୁଁ
ଯିବାଆମେ ଭିନ୍ନ ଏକ ପଥେ,.
ଲୟରଖି ନନ୍ଦିଘୋଷ ରଥେ।