ଭୋକିଲା ମଣିଷ
ଭୋକିଲା ମଣିଷ
ବାଟେ ଯାଉଯାଉ ନୟନେ ଦେଖିଲି
ଭୋକିଲା ମଣିଷ ଗୋଟେ
ମୁହଁକୁ ଶୁଖାଇ ବସିଛି ମଉନେ
ଓଦା କନା ଦେଇ ପେଟେ।
ପଚାରିଲି ବାବୁ ଖାଇବୁକି କିଛି
ଆଣିଦେବି ମୁହିଁ ତୋତେ
ଇଚ୍ଛା ନ ଥାଇବି ହଁ ଭରିଦେଲା ସେ
ଲାଜେଇ ଲାଜେଇ ମୋତେ।
ଯାହା ଥିଲା ପାଖେ ଆଣିଦେଲି ତାକୁ
ଗାଉଁଗାଉଁ କରି ଖାଇ
ମୁହଁରେ ତାହାର ହସ ଫୁଟିଗଲା
ପେଟକୁ ଆଉଁସି ଦେଇ।
କହିଲି ଗୋଟିଏ କଥା ପଚାରିବି
କିଛି ଭାବିବୁନି ତୁହି
ପୁଣି ପଚାରିଲି ଜୀବିକା ବିଷୟେ
କହିଲା ଭିକାରୀ ମୁହିଁ।
ମନ୍ଦିର ପ୍ରାଙ୍ଗଣେ ଭିକ୍ଷା ବୃତ୍ତି କରି
ପରିବାର ପୋଷୁଥିଲି
କଟକଣା ଯୋଗୁଁ ମନ୍ଦିର ଯାଉନି
ରୋଜଗାର ପନ୍ଥା ଖାଲି।
କରୋନା ଡରରେ ମନ୍ଦିର ପ୍ରାଙ୍ଗଣ
ଭକ୍ତଶୂନ୍ୟ ହେଲା ଆଜି
ସେଥିପାଇଁ ଆଜି ଭୋକିଲା ପେଟରେ
ବୁଲେ ପରିବାର ତେଜି।
କାହାକୁ କହିବି ଦୁଃଖର କାହାଣୀ
ଭାବନାରେ ଥିଲି ମଜି
ପଚାରିବାରୁ ମୁଁ କହିଦେଲି ସତ୍ୟ
ବିଚାର କରିବ ବୁଝି।
ଦୁଃଖ ଶୁଣୁଶୁଣୁ କହିଦେଲି ମୁହିଁ
କାହିଁକିରେ ବାବୁ କହ
ସ୍ୱାଭିମାନ ଛାଡି ଭିକ୍ଷାବୃତ୍ତି କରୁ
ମନ୍ଦିରରେ ଅହରହ।
କାନ୍ଦକାନ୍ଦ ସ୍ୱରେ ଚାଦରକୁ ଖୋଲି
କହିଥିଲା ମାଆ ଦେଖ
ଦୁର୍ଘଟଣା ମୋତେ କରିଛି ଅପଙ୍ଗ
ତେଣୁ ମାଗୁଅଛି ଭିକ।
କହିଲି ଆଜିଠୁ ମାଗିବୁନି ଭିକ
ଦୋକାନ କରି ବସିବୁ
ଦେବି କିଛି ଧନ ଧୀରେ ଧୀରେ କରି
ତୁହି ମୋତେ ଶୁଝି ଦେବୁ।
ଖୁସିରେ ପାଗଳ ହୋଇ ଧରି ପାଦ
ଲାଗିଥିଲା କାନ୍ଦିବାକୁ
ସାଥି ହୋଇଗଲୁ ତେଜରାତି କିଛି
କିଣିକରି ଦେଲି ତାକୁ।
ବେପାର କରିବା ନିମିତ୍ତ ଦୋକାନ
ପାଇଁକି ଯୋଗାଡି ଘର
ସେହିଦିନୁ ସେହି ବ୍ୟକ୍ତି ଆନନ୍ଦରେ
ପାଳୁଅଛି ପରିବାର।