ଭୋକ
ଭୋକ
ଆକାଶଟା ମେଘମୁକ୍ତ
ମାତ୍ର ଠାଏ ଠାଏ ବାଦଲଙ୍କ ଦୌଡ
ହୁଏତ ଅସରାଏ ବର୍ଷିପାରେ
ଖୁବ୍ ଜୋରରେ ନହେଲେ ମଧ୍ୟ
ଖୁବ୍ ଧୀରେ ବି ନୁହେଁ ,
ତାତି ବି ଅସହ୍ୟ
କଂକ୍ରିଟ୍ ରାସ୍ତା ର
କଳା ମଚମଚ ଛାତିରେ ,
ଛାଇ ଆଲୁଅର ଖେଳ
ପାପ ପୁଣ୍ୟର ବିଚାର
ଯୋଜନ ଯୋଜନ ଦୂରତା
ମାଟି ଓ ଆକାଶ ମଧ୍ୟରେ ।।
ଫାଟକ ସାମନାରେ ଭିଡ ଜମିଛି,
ଭୋକର ତାତିରେ ଆଉଟୁ ପାଉଟୁ
ହେଉଥିବା କଂକାଳସାର ମଣିଷର
ଆକୁଳ ଚିତ୍କାର
ସୁଖିଲା ରୁଟିଖଣ୍ଡ ପାଇଁ ,
ଆହାର କେନ୍ଦ୍ରରେ ଲମ୍ବା ଧାଡି
ଦୂଇ ମୁଠା ଭାତ ଓ
ଟିକେ ବଂଚିବା ପାଇଁ,
ବନ୍ଧାପଡିଛି ସ୍ବାଭିମାନ
ସ୍ବାଭିମାନୀ ମଣିଷର
ଠିକଣା ଖୋଜୁଛି ହାରଜିତର
ମନଅପମାନର ।।
ଦେହର ତାତି ହାରମାନୁଛି ପଛେ
ହାରମାନୁନି ପେଟର ତାତି ,
ଭୋକିଲା ମନର କରୁଣ ଡାକ
ବାବୁଭାୟାଙ୍କ ଶୀତତାପ ନିୟନ୍ତ୍ରିତ
କାଚମୁଦା ଦାମିକା ଗାଡିରେ
ପିଟିହୋଇ ଛିଟିକି ପଡୁଛି ସିନା
ପହଞ୍ଚି ପାରୁନି ଠିକଣା ଜାଗାରେ ,
ଅପହଂଚ ଲାଗୁଛି ସମୟର ଶେଷ ନିବେଦନ
ଜଳୁଛି ମନ କାନ୍ଦୁଛି ଆତ୍ମା
ମହଣ ମହଣ ଅଭିଶାପ
ଡେଇଁପାରୁନି ସୁଦୀର୍ଘ ପାଚେରୀ ।।
ସମୟର ବିକଟାଳ ବିଭଶ୍ଚ ଅଟ୍ଟହାସ୍ୟ
ଚିହ୍ନାମୁହଁମାନଙ୍କର ଅଚିହ୍ନା ଭାବ
କେତେ ଆଲୋଚନା ସମାଲୋଚନା
ଥୁଣ୍ଟା ବରଗଛର ଛାଇତଳେ
ବସିଥିବା ଅସହାୟ ମଣିଷର
ଦୀର୍ଘ ନିଶ୍ବାସ ପହଞ୍ଚି ପାରେନି
ଚକମକ କରୁଥିବା ଲୁହାଗ୍ରୀଲର
ଅସଂଜତ ଫାଙ୍କଦେଇ ,
ପେଟର ଭୋକ ବଢିଯାଏ ସିନା
ମାତ୍ର ପେଟ ପୂରେନି
ବିକଳାଙ୍ଗ ମଣିଷଟି ହାତପତି
ଚାହିଁ ରହିଥାଏ ନିର୍ଲିପ୍ତ ନୟନରେ
ବଡଦାଣ୍ଡର ତତଲା ବାଲିରେ
ଟିକିଏ ନିର୍ମାଲ୍ୟ ପାଇଁ ।।
--------------
ଶରତ କୁମାର ଦାସ
ବଡବିଲ ମହାବିଦ୍ୟାଳୟ, ବଡବିଲ ।