ଭୋକ
ଭୋକ
ଅସହ୍ୟ ହେବାରୁ ଜଠରାଗ୍ନି ଜ୍ବାଳା
ପିଠି ସହ ଲାଗିଯାଏ ପେଟ
ଗଣି ହୁଏ ଅସ୍ଥି କଙ୍କାଳକୁ
ଆଖି ଲୁହ ଆଖିରେ ମରୁଛି
ଦେଖ ,
ଅଦୃଶ୍ୟ ଭୋକଟା ଏଠି ଉନ୍ମାଦେ ହସୁଛି !
ଅର୍ଦ୍ଧଲଗ୍ନ କଅଁଳ ଦେହକୁ
ଟାଇଁ ଟାଇଁ ଖରାରେ ସିଝେଇ
ପାଟି ଓଠ ଅଠା ଅଠା କରି
ଆପେ ଆପେ ଅଣ୍ଟାକୁ ନୂଆଁଇ
ୟା ପାଖରେ ତା ପାଖରେ ହାତ ପସାରୁଛି
ଦେଖ ,
ଅଦୃଶ୍ୟ ଭୋକଟା କେମିତି ମୁରୁକି ହସୁଛି !
ଇଛା ନୁହଁ ଚାଲିବାକୁ
ମୁଣ୍ଡ ବାଳ ଅଡ଼ୁଆ ଅସନା
ଚାଟିବାକୁ ଅଇଁଠା ବାସନ
ଇଛା ହୁଏ ବେଳେ ବେଳେ ଭୋକ ପ୍ରକୋପରୁ ନିଦହରା ଆଖି ସିନା ଏଠି ଦିଗହରା
ଅନାହାରେ ଅନିଦ୍ରାରେ କେତେ ଯେ ମରୁଛି
ଦେଖ ,
ଏଠି ଅଦୃଶ୍ୟ ଭୋକଟା ଉଲ୍ଲାସେ ହସୁଛି ..
ହେଲେ
, କେ କହିବ ଭୋକଟା କେମିତି ?
କେ ଦେଖିଛ ଭୋକର ରୂପକୁ ?
କେ କଳିଛ ଏ ଭୋକର ସୀମା ?
କେ ମାପିଛ ୟାର ଗଭୀରତା ?
ନା !
ଭୋକ ଏକ ଅଦୃଶ୍ୟ ତାଡନା
ଭୋକ ଏକ ଅବୁଝା ବିଳାପ
ଭୋକ ଏକ ଅଲୋଡା ଇତିହାସ
ହେଲେ '
ଏ ଭୋକ ଶବ୍ଦ ଟା ସିନା ଏକ
କିନ୍ତୁ
ରୂପ ତ ଅନେକ
କା ପାଖେ ପେଟର ଭୋକ ତ
କା'ରେ ଦେହ ଭୋକ
କା ପାଖେ କ୍ଷମତା ଭୋକ ତ
କାରେ ଅର୍ଥ ଭୋକ
ତେଣୁ
ବାସ୍ତବରେ ଏ ଭୋକର ପରିଭାଷା ନାହିଁ
ନାହିଁ ୟାର ଆଦି ଅନ୍ତ କିଛି
ଜାତିଧର୍ମ ବର୍ଣ୍ଣ ନିର୍ବିଶେଷେ
ଭୋକ ଏକ ଅଦୃଶ୍ୟ ଜ୍ବଳନ ।