ଭୋକ
ଭୋକ
ଜୀବନର ମାନେ ବୁଝିଛି କେ କିଛି
ଜାଣିବାକୁ ନାହିଁ ଇଚ୍ଛା
ଯନ୍ତ୍ରଣା ଭିତରେ ବଞ୍ଚିବା ଶିଖିଛି
ଏଇ ତାର ମନବାଞ୍ଛା।
ସୁଖ ସ୍ବଚ୍ଛନ୍ଦ୍ଯରେ ଫୁଲର ଶେଯରେ
ଶୋଇକି ପାଇବ ଦୁଃଖ
ଖୋଜା ପଡେନାହିଁ ଖାଦ୍ଯ କଣିକାଏ
ତଥାପି କାହିଁକି ଦୁଃଖ ?
ଦେଖିଛ କି ଥରେ ରାଜରାସ୍ତାରେ
ଜିଅନ୍ତା କଙ୍କାଳ ମାଳ
ପେଟର ଜ୍ବାଳାରେ କଙ୍କାଳ ସାର ତ
ହାତେ ଥାଏ ଭିକ୍ଷାଥାଳ।
ପେଟର ଦାଉକୁ ନିବାରିବା ପାଇଁ
ପାତୁଥାନ୍ତି ହାତ ପରା
ଭୋକ ବିକଳରେ ଅଳିଆ ଗଦାରୁ
ସାଉଁଟୁଛି ଦାନା ପରା ।
ତୁମ ଭଳି କେବେ ଦେଖନାହିଁ ସ୍ବପ୍ନ
ହେବାପାଇଁ ବଡଲୋକି
ଖୋଜେନାହିଁ କେବେ ସୁସ୍ଵାଦୁ ଆହାର
ପେଟେ ତାର ଦେବ ଢୋକି।
ବଞ୍ଚିବା ପାଇଁକି ସଂଗ୍ରାମ କରୁଛି
ଲୋଡାନାହିଁ ଛାତଘର
ପେଟର ଜ୍ବାଳାତ ଅସହ୍ଯ ହେଉଛି
ଆଉ କଣ ଦରକାର।
ଶୈଶବ ଏଠାରେ ଅବହେଳିତ ତ
ପାଏ ନାହିଁ ଟୋପେ କ୍ଷୀର
ଶାଗୁ କଣିକାଏ ଭାଗ୍ଯେ ଲେଖାନାହିଁ
ହୁଏ ଭାରି ହତାଦର।
ମାଆର ପେଟରେ ଦାନାର ଅଭାବ
ଶୁଖିଯାଏ ତାର ସ୍ତନ
କି ଖାଇବ ଶିଶୁ ସ୍ତନରୁ ଝୁଣିବ
ବଇରୀ ତ ଭଗବାନ।
ଏତେ ବଡ ମହୀ ସର୍ଜିଲ ହେ ପ୍ରଭୁ
କିମ୍ପା କଲ ଅବିଚାର
ସଭିଙ୍କ ପାଇଁକି ଖଞ୍ଜିଲନି ତୁମେ
ପେଟେ ପଡନ୍ତା ଆହାର।
ଭୋକିଲା ପେଟର ଅସହ୍ଯ ତାଡନା
ସହିକି ପାରିବ ତୁମେ
କାହିଁପାଇଁ ତୁମେ ଏଡେ ନିରିଦୟୀ
କାହିଁକି ପୂଜିବେ ଜନେ ।