ଭୋକ
ଭୋକ
ଯେବେ ରୁଟି ଖଣ୍ଡେ ମିଳିଯାଏ
ଅବଶ୍ୟ ପେଟ ଚାଖଣ୍ଡେ ପୂରିଯାଏ
ଅନୁଭୂତ ହୁଏ ପରମ ତୃପ୍ତି
ତଥାକଥିତ ଓ ପାରମ୍ପାରିକ
ଢଙ୍ଗରେ ଭୋକର ସଂଜ୍ଞା ବଦଳିଯାଏ,
ବଦଳିଯାଏ ଭୋକର ଭୂଗୋଳ
ଅସଂଲଗ୍ନ ଅକ୍ଷ୍ୟାଂଶ ଦ୍ରାଘିମା
ସଂଲଗ୍ନ ହୋଇଯାଏ ,
ଉତ୍ତର ମେରୁ ଦକ୍ଷିଣ ମେରୁ
କ୍ରମଶଃ ନିକଟତର ହୁଅନ୍ତି
ସୂତ୍ରପାତ ହୁଏ ମହାପରିବର୍ତ୍ତନର ।
ଜୀବନର ନିଛାଟିଆ ଅର୍ଗଳି ଭିତରେ
ଭୋକ ମେଣ୍ଟାଇବା ବେଳେ
କେତେ ଧଇଁସଇଁ କେତେ ଧାଁ ଦୌଡ
ତା'ର ହିସାବ କରି ହୁଏନି,
ମୂଲ୍ୟବୋଧର ନିକିତିରେ ତୌଲିହୁଏନି
ସାନ ବଡ ଓ ଠିକ୍ ଭୁଲ୍ ର ମର୍ଯ୍ୟଦା,
ଜୀଇଁବାର ଛବି ଜାଜ୍ବଲ୍ଯମାନ ହୁଏ
ମଣିଷଙ୍କ ଟଣା ଓଟରା ଓ ଗହଳି ଭିତରେ ,
ଯେତେ ଅନ୍ଧାରୁଆ ବାଟ ପରିଷ୍କାର ହଏ
ଜହ୍ନ ତାରା ଓ ଗ୍ରହ ନକ୍ଷତ୍ରଙ୍କ
ସଫେଦ ଆଲୋକ ମଧ୍ୟରେ।
ତଥାପି ତ ଭୋକ ମେଣ୍ଟେନି
କେମିତି ମେଣ୍ଟିବ ଯେ !
ଏ ଭୋକ ତ ଅୟୁତ ଦିନର
ମନ ତଳେ ବସାବାନ୍ଧି ରହିଥିବା
ଚକମକ୍ ଲାଳସାର ଏକ କମନୀୟ ଚିତ୍ରପଟ ,
ଅନ୍ୟକୁ ତଳେ ଛାଡି ନିଜେ ପାହାଡ ଚଢିବାର
ଏକ ଅସମାହିତ ଗାଣିତିକ ଉପପାଦ୍ୟ ।
ଏ ଭୋକ ତ ପେଟ ଚାଖଣ୍ଡକ ପାଇଁ ନୁହେଁ
ବରଂ ,ବାଘ ଛେଳି ଖେଳରେ ହାର୍ ଜିତ୍ ର
ଚଢେଇର ଡେଣାରେ ରଙ୍ଗ ବୋଳିବାର
ଆଉ ,ହାତ ପାପୁଲିରେ ଜହ୍ନ ଧରିବାର ।
ଅହଙ୍କାରର ଅନ୍ଧ ଭାବନାରେ କେବେ
ଭୋକ ଢେର୍ ବଢିଯାଏ,
କ୍ଷମତାର ବଳୟରେ ବସାଟିଏ ଗଢିବାକୁ
କାହିଁକି କେଜାଣି ଭାରି ଇଚ୍ଛା ହୁଏ
କେତେବେଳେ ସୁପ୍ତରେ ତ
ପୁଣି କେତେବେଳେ ଜାଗ୍ରତରେ ।
ପେଟର ଭୋକ ମେଣ୍ଟିଗଲେ ବି
ବଢିଯାଏ ଦେହ ଓ ମନର ଭୋକ
ଇତିହାସ ଲେଖାହୁଏ ଭୋକର
ଲୁହ, ଲହୁ ଓ ସ୍ବେଦର କାଳିରେ ।