ବହ୍ନିକନ୍ୟା (୩୧)
ବହ୍ନିକନ୍ୟା (୩୧)
ଏଣେ କାମ୍ପିଲ୍ୟ ଭାସଇ ଆନନ୍ଦ ତରଙ୍ଗେ,
ନଗରୀ ସୁନ୍ଦରୀ ସୁସଜ୍ଜିତ ନାନା ରଙ୍ଗେ।
ରାଜପଥ ଶୋଭାପାଏ ଦିବ୍ୟ ତୋରଣରେ,
ପ୍ରତି ଘରେ ଝୋଟି,ଚିତା ବିଭିନ୍ନ ରଙ୍ଗରେ।
ଆମ୍ବପତ୍ର ତୋରଣରେ ଗୁନ୍ଥି ଫୁଲ ହାର,
ସଜାଇଛନ୍ତି ପ୍ରଜାଏ ନିଜ ନିଜ ଘର।
ଦଶମୀ ଜହ୍ନ ଆକାଶେ ଉଇଁଲା ଏକାଳେ,
ଜ୍ୟୋସ୍ନା ବିଧୌତ ଶିବିର ଯେତେ ଗଙ୍ଗାକୂଳେ।
ଆକାଶକୁ ଚାହିଁ ଭାଳୁଛନ୍ତି ରାଜପୁତ୍ରେ,
"ପାଞ୍ଚାଳ ଚନ୍ଦ୍ରମା କାଲି ପଡନ୍ତା କି ହାତେ!
ଆକାଶ ଶଶିରେ ସିନା ଅଛି କଳାଗାର,
ଜେମା ନିଷ୍କଳଙ୍କ ଜହ୍ନ ପାଞ୍ଚାଳ ନଭର।"
ନିଜ ଶିବିରେ ଭାଳୁଛି ବସି ଦୁର୍ଯ୍ୟୋଧନ,
"କାଲି କୃଷ୍ଣା ବସିବ ମୋ ହୃଦ ସିଂହାସନ।
ଲକ୍ଷଭେଦ ସ୍ପର୍ଦ୍ଧା ଯାଜ୍ଞସେନ ରଖିଛନ୍ତି,
ମୋ ସମ ଧନୁର୍ଦ୍ଧର ଏ ସଂସାରେ କାହାନ୍ତି?
ସମକକ୍ଷ ଥିଲା ଏକା ପାର୍ଥ ଧନୁର୍ଦ୍ଧର,
ଜତୁଗୃହେ ଜଳି ଯାଇଛି ସେ ଯମପୁର।
ଆବର ଧନୁର୍ଦ୍ଧର ମୋ ପ୍ରିୟ ସଖା କର୍ଣ୍ଣ,
ମୋ ସଙ୍ଗେ ସ୍ପର୍ଦ୍ଧା ପାଇଁ ସେ ନକରିବେ ମନ।
ଲକ୍ଷଭେଦରେ ଯେବେ ମୋ ହୁଏ ପରାଜୟ,
ସ୍ପର୍ଦ୍ଧା ଜିଣି କର୍ଣ୍ଣ କନ୍ୟା ଆଣିବେ ନିଶ୍ଚୟ।
ପରାଜୟ ହେଉ ଅବା ହେଉ ଜୟ ମୋର,
ପାଟ୍ଟରାଣୀ ହେବ ଯାଜ୍ଞସେନୀ ହସ୍ତିନାର।"
ଏମନ୍ତ ବିଚାରି ମନେ ଆନନ୍ଦିତ ହୋଇ,
ସଖାପାଶେ ମିଳି ମନକଥା ଦେଲା କହି।
ଦୁର୍ଯ୍ୟୋଧନକୁ ବୋଲନ୍ତି ଅଳ୍ପ ହସି କର୍ଣ୍ଣ,
ମିତ୍ର,ତୁମ୍ଭ ଅଭିଳାଷ କାଲି ହେବ ପୂର୍ଣ୍ଣ।"
କୁରୁ ଶିବିର ଅନତି ଦୂରରେ ମାଧବ,
ନିଜ ଛାଉଣୀରେ ବସିଛନ୍ତି ବାସୁଦେବ।
ଏ ସମୟେ ଉଦ୍ଧବ ସହିତେ ଯୁଯୁଧାନ
ପହଞ୍ଚି ଗ୍ରହଣ କଲେ ଯେ ଯାହା ଆସନ।
ଗୁପ୍ତଚର ଦେଇଥିଲା ଯେଉଁ ସମାଚାର,
ମାଧବଙ୍କ ଆଗେ ବଖାଣିଲେ ଯଦୁବୀର।
ଉଦ୍ଧବ ବୋଲନ୍ତି"ଶୁଣ ଯଦୁକୁଳ ସାଇଁ,
ବିଶାଳ ସଇନ ନେଇ ମଗଧ ଗୋସାଇଁ-
ଅପରାହ୍ନେ ପହଞ୍ଚିଛି କାମ୍ପିଲ୍ୟ ନଗରେ,
ଛାଉଣୀ ବିଛାଇ ଅଛି ଗଙ୍ଗା ସିକତାରେ।
ଗୁପ୍ତଚର ଠାରୁ ଯାହା ଶୁଣିଛି ମୁଁ କୃଷ୍ଣ,
ସ୍ପୃହାହୀନ ଲକ୍ଷଭେଦ ପାଇଁ ମଗଧେଶ।
ଧନୁର୍ବିଦ୍ୟାରେ ତ ତାର ନାହିଁ ଏତେଜ୍ଞାନ,
ମଲ୍ଲଯୁଦ୍ଧେ,ଗଦାଯୁଦ୍ଧେ ସିନା ବଳୀୟାନ।
ନିପୁଣ ନୁହଇ ସହଦେବ ଧନୁର୍ବାଣେ,
ସହଜେ ତ ମେଘସନ୍ଧି ବାଳୁତରୁ ଜଣେ। #
ଲକ୍ଷଭେଦରେ ସଫଳ ହେବା ପ୍ରଶ୍ନ ନାହିଁ,
ଆସିଛନ୍ତି ଦ୍ରୌପଦୀଙ୍କୁ ନେବାକୁ ଚୋରାଇ।"
ଉଦ୍ଧବଙ୍କଠାରୁ ଶୁଣି ଜରାସନ୍ଧ କଥା,
ଚିନ୍ତାରେ କୁଞ୍ଚିତ ହେଲା ବାସୁଦେବ ମଥା।
କିଛି ସମୟ ନିରବ ଭାବନା ରାଜ୍ୟରେ,
ଭ୍ରମି,ଫେରିଲେ କେଶବ ସ୍ବଭାବ ସ୍ଥିତିରେ।
ବୋଇଲେ "ଏ ବିଷବୃକ୍ଷ ଉପାଡିବା କାର୍ଯ୍ୟ,
କରିବାକୁ ହେବ ଆଜରାତ୍ରେ ଆହେ ଆର୍ଯ୍ୟ!
ଜରାସନ୍ଧ ଶିବିରକୁ ଯାଉଅଛି ମୁହିଁ,
ଅପେକ୍ଷା କରିବ ତୁମ୍ଭେ ଦ୍ବାରପାଶେ ରହି।"
ଶୁଣି ଚିନ୍ତାରେ ସାତ୍ୟକି ବୋଇଲେ "ମାଧବ!
ଜାଣନା କି ଜରାସନ୍ଧ କି ଉଗ୍ରସ୍ବଭାବ?
ଏକା ଦେଖି ଜରାସନ୍ଧ ବଧିଲେ ତୁମ୍ଭକୁ,
ବଡ ଅନର୍ଥ ହୋଇବ ଯାଦବ କୁଳକୁ।"
ଶ୍ରୀକୃଷ୍ଣ ବୋଇଲେ "କି ପାଁ ହୁଅ ଚିନ୍ତାଗ୍ରସ୍ତ?
ନକରିବ ତାହା କେବେ ମଗଧର ନାଥ।
ଅନେକ ଦେଶ ସେନାନୀ ଅଛନ୍ତି ଏଠାରେ,
କୁରୁ,ଯଦୁ,ପାଞ୍ଚାଳ,ମିଥିଳା ସହିତରେ।
ମୋପରେ ଅସ୍ତ୍ର ପ୍ରୟୋଗ କରି ଫଳାଫଳ,
ଭୋଗିବାପାଇଁ ତାହାର କାହିଁ ମନୋବଳ?
ଜରାସନ୍ଧ ମନସ୍ତତ୍ତ୍ବ ଜାଣେ ମୁଁ ସାତ୍ୟକି,
କିନ୍ତୁ ମନେରଖିଥିବ ସତତ ଏତିକି-
ପାଇଲେ ନିର୍ଦ୍ଦେଶ ମୋର ସୈନ୍ୟବଳ ନେଇ,
ଜରାସନ୍ଧ ଶିବିରରେ ପହଞ୍ଚିବ ଯାଇ।"
ଏତେ ବୋଲି ବାସୁଦେବ ନିର୍ଲିପ୍ତ ଚିତ୍ତରେ,
ନିରସ୍ତ୍ର ହୋଇ ମିଳିଲେ ମଗଧ ଶିବିରେ।
କ୍ରମଶଃ...