ଭଙ୍ଗା ହୃଦୟ
ଭଙ୍ଗା ହୃଦୟ


ପହଞ୍ଚେ ମଣିଷ ଏମିତି ସମୟେ
ଯାହା ଅକଥ୍ୟ ଅସହ୍ୟ
ସ୍ମୃତି ସଉଧରେ ଯନ୍ତ୍ରଣା ଲେପରେ
ବିକଳ ଭଙ୍ଗା ହୃଦୟ ।
ଉଠଇ ବିଳପି ତା'ର ଅନ୍ତଃସ୍ବର
କର୍ମକୁ ତର୍ଜମା କରି
ଜୀବନରେ ଯାହା ଘଟିଗଲା ଥରେ
ଆଉ କି ଆସିବ ଫେରି ?
ବିଶ୍ବାସ ଭରସା ତୁଟଇ ଯେଉଁଠି
ସେଠି କେତେ ଯେ ଆଘାତ
ଅନୁଭବୀଟିଏ ଜାଣଇ କେବଳ
ପ୍ରତିକ୍ଷଣ ଅନୁତପ୍ତ ।
ସମ୍ପର୍କ ବନ୍ଧନ ଥରେ ତୁଟିଗଲେ
ଯୋଡ଼ି ହେବା ବଡ଼ କଷ୍ଟ
ସେନେହ ମମତା ଝଡେ ହୃଦକାନ୍ଥୁ
ବରଂ ସୃଷ୍ଟି ହୋଇ ଫାଟ ।
ପ୍ରେମ ପ୍ରତାରଣା ଅଶେଷ ଯନ୍ତ୍ରଣା
ପ୍ରତାରିତର ହୃଦୟେ
ସତେ ଫାଟି ବୁକୁ ଟପଟପ୍ ଲହୁ
ଲୁହ ରୂପେ ଝରୁଥାଏ ।
ଆଶ୍ବାସନା ଅଠା ଯେତେ ବି ବୋଳିଲେ
ହୃଦୟ ଯୋଡ଼ି ନ ହୁଏ
ଜୀଇଁଥିବା ଯାଏ ସେ ଫାଟ ପୂରଣ
କେବେ ବି ହୋଇ ନଥାଏ ।