ଭଲ ଦିନ କେବେ
ଭଲ ଦିନ କେବେ
ଘର କରିଥିଲେ
ପଥର ପଡିଲେ ସହି,
ବଞ୍ଚିବାକୁ ହୁଏ
ଭାଗ୍ୟକୁ ଆଦରି,
ଖାଲଖମା, ଅଳିଅର୍ଦ୍ଦଳି
ଦୁଃଖ ଓ ଯନ୍ତ୍ରଣା
ଝଡଝଞ୍ଜାର ଶେଷ କାହିଁ
ତଥାପି ଅଣ୍ଟା ସଳଖେ
ଜୀବନ ଜୀଇଁବା ପାଇଁ।।
କଣ ବା କରେ ଚାଷୀ
ମୌସୁମୀ ବାଟ ଭୁଲିଲେ
ଭୋଦୁଅରେ ମାଟି ଫାଟିଲେ
ମାର୍ଗଶିରରେ ବର୍ଷା ବର୍ଷିଲେ
ମୁଣ୍ଡ ପିଟି କାନ୍ଦିବା ହିଁ ସାର
ଫସଲ ଉଜୁଡିଗଲେ।
ଚାଷ ହୁଡିଲେ ବରଷେ
ଗଣ୍ଡେ ଖାଇ ତୁଣ୍ଡେ ପିଇ
ଛାତିକୁ ପଥର କରେ
ଭାଗ୍ୟରେ ଭରସି
ଅଖିମୁଠି ଧରେ
କ୍ଷେତକୁ ବାହୁଡେ।।
କ’ଣ କରେ ଶ୍ରମିକ
ଖାଦାନକୁ ମେସିନ୍ ଆସିଲେ
କାରଖାନା ତାଲା ପଡିଲେ
କାମରୁ ଛଟେଇ ହେଲେ,
ଜଗତିକରଣର ଯନ୍ତ୍ରଣା
ବିଶ୍ବକର୍ମା ବିପନ୍ନ ହେଲେ ।
ଇନକିଲାବ କହୁଥିବା ନେତା
ଲାଲ୍ ପତାକାରେ ମୁଁହ ପୋଛେ
ଅନ୍ଧ ଗଳି ଦେଶୀ ମଦର ବାସ୍ନା
ଯୁବତୀ ସ୍ତ୍ରୀ ଦେହ ବିକେ।
ଜୀବିକା ହୁଡିଲେ
ସାରା ସଂସାର
ଯନ୍ତ୍ରଣା ଜୁଇରେ ଜଳେ।।
କଣ କରେ ସାଧାରଣ
ବର୍ଷ ବର୍ଷ ର ସଂଚୟ
ହୋଇଲେ ଅଚଳ,
ପେଟ୍ରୋଲ ପରି ମହଙ୍ଗା
ବଞ୍ଚିବାର ନ୍ୟୁନତମ ମୂଲ୍ୟ,
ଟଂକା ପରି ଶସ୍ତା ହେଲେ
କଷ୍ଟ ଲବ୍ଧ ପରିଶ୍ରମ ଫଳ।
ଝିଅର ବାହାଘର,
ପୁଅର ପାଠ ପଢା
ବୁଢା ବାପା ଓ ମାଆକୁ
କେମିତି ଦେଖିବ ଡାକ୍ତର।
ଭୋଟର ହୁଡିଲେ
ପାଞ୍ଚ ବରଷ
ଈଶ୍ଵର ଭରସା ତାର।।
କିସ ଦେଖାନଯାଏ
ଦେହ ଧରିଲେ ଧରାରେ
କଣ କରା ନଯାଏ
ବଞ୍ଚି ବଞ୍ଚାଇ ରଖିବାରେ
ଭଲ ଦିନ କାହିଁ
ସ୍ଵପ୍ନ ଯଦି ମରେ ଅକାଳରେ।
ଭାଗ୍ୟ ହୁଡିଲେ
ସାରା ଜୀବନ
ସନ୍ତାପରେ ବଂଚିବାକୁ ହୁଏ।।