ଭକ୍ତ ରଙ୍କା ଭଗବାନ
ଭକ୍ତ ରଙ୍କା ଭଗବାନ
ଜଗନ୍ନାଥ ଜଗବନ୍ଦନ ଜୟ ହେ ଜଗଦୀଶ
ଜଗବନ୍ଧୁ ଯଦୁନନ୍ଦନ ଜୟ ଜ୍ୟୋତିପ୍ରକାଶ
ଜନାର୍ଦ୍ଦନ ଜନବନ୍ଦନ ଜୟ ଜନନାୟକ
ଜ୍ଯୋତିର୍ମୟ ଯୁଗ ପୁରୁଷ ଜୟ ଜନ ରକ୍ଷକ ।
ଅନନ୍ତ ଅସୀମ ମହିମା ମହିମାରେ ମଣ୍ଡିତ
ଅପୂର୍ବ ଅରୂପ ସୁଷମା ସୁଷମା ରେ ଶୋଭିତ।
ଅଚ୍ୟୁତ ଅଚ୍ୟୁତାନନ୍ଦ ହେ ଆହେ ପରମାନନ୍ଦ
ଅଭୟ ଅଭୟାନନ୍ଦ ହେ ପ୍ରଭୁ ଗୋପ ଗୋବିନ୍ଦ।
ଭକତର ଜୀବ ଜୀବନ ପ୍ରଭୁ ଭକ୍ତ ବତ୍ସଳ
ଭକତ ଭକ୍ତିରେ ବନ୍ଧାହେ ପ୍ରଭୁ ଭକ୍ତ ପାଗଳ।
ଭକତ ଯେଉଁଠି ଯେମିତି ପ୍ରଭୁ ଡାକେ ତୁମକୁ
ଭକ୍ତ ଡାକ ଶୁଣିବାକୁ ହେ ଡେରିଥାଅ କାନକୁ।
ଭକତ ଶ୍ରୀବତ୍ସ ବ୍ରାହ୍ମଣ ଗୋଇଠା କୁ ସହିଛ
ଚାଖି ଚାଖି ଦେଲା ଶବରୀ ଅଇଁଠା କୁ ଖାଇଛ ।
ଯଜ୍ଞରେ ଅତିଥି ମାନଙ୍କ ପାଦ ଧୋଇ ଦେଇଛ
ଉପାୟ ନପାଇ ଗଧର ପାଦ ପ୍ରଭୁ ଧରିଛ।
ଭକତ ମାନଙ୍କ ଗାଳିକୁ ପ୍ରଭୁ ନିତି ସହୁଛ
ଗାଳି ସହି ପୁଣି ଆଶିଷ ତୁମେ ଢାଳି ଦେଉଛ।
ଏତେ ଆପଣାର ପ୍ରଭୁ ହେ କିଏ ହୋଇବ କୁହ
ବନ୍ଧୁ ପଣେ ଭକ୍ତ ଆଖିରୁ ପୋଛି ଦିଅହେ ଲୁହ ।
ଭକ୍ତ ରଙ୍କା ଦିଅଁ ବୋଲି ହେ ପଡେ ଜଗତେ ହୁରି
ଭକ୍ତ କୁ ଦେଖାଅ ବାଟହେ ଭକ୍ତ ହାତକୁ ଧରି।
ଭକ୍ତ ପାଇଁ ପ୍ରଭୁ ଆସହେ ସିଂହାସନୁ ଓହ୍ଲାଇ
ଭକ୍ତେ ଦେଇଥାଅ ଦର୍ଶନ ଭକ୍ତ ପାଖକୁ ଯାଇ।
