ଭକ୍ତ ଗଣପତି ଭଟ୍ଟ
ଭକ୍ତ ଗଣପତି ଭଟ୍ଟ


କର୍ଣ୍ଣାଟ ଦେଶର ଏକ ଦ୍ବିଜବର
ନାମ ଗଣପତି ଭଟ୍ଟ
ପରଂବ୍ରହ୍ମରେ ବିଲୀନ ହେବାକୁ
ମନଟି ସଦା ଉଚ୍ଚାଟ
ଖୋଜି ହେଉଥିଲେ ବାଟ
ନିର୍ଲୋଭୀ ନିର୍ମୋହୀ ପରମ ଦୟାଳୁ
ଭକତ ପଣେ ଗରିଷ୍ଠ ।
ସକଳ ଶାସ୍ତ୍ରକୁ କରି ଅଧ୍ୟୟନ
ବିଷୟାରସ ଦୂରେଇ
ମନକୁ ଆୟତ୍ତ କରି ବିପ୍ରବର
ଷଡରିପୁକୁ ରୋଧଇ
ଶ୍ରୀବିଷ୍ଣୁ ପୟରେ ମତି
ତାଙ୍କ କୃପା ବିନା ଜୀବର ଉଦ୍ଧାର
ଜାଣେ ନାହିଁ ଅନ୍ୟ ଗତି ।
ଜଗନ୍ନାଥ ବ୍ରହ୍ମ ସ୍ଥାବରଜଙ୍ଗମ
ଆତଯାତ ସବୁଥିରେ
ଭବ ସାଗରରୁ ତରିଯାଏ ପ୍ରାଣୀ
ଆଶ୍ରା ଲୋଡ଼ି ଶ୍ରୀପୟରେ
ଅନ୍ୟ ଦେବଙ୍କୁ ନଗଣି
ପରଂବ୍ରହ୍ମଙ୍କ କୃପା ଲଭିବାକୁ
ନିରନ୍ତର ହୁଏ ଗୁଣି ।
ପରଂବ୍ରହ୍ମ ହରି ସ୍ଥୂଳ ରୂପ ଧରି
ନିଶ୍ଚେ ଥିବେ କେଉଁଠାରେ
ଦରଶନେ ମୁକ୍ତି ହୋଇବାକୁ ପ୍ରାପ୍ତି
ନିଇତି ଭ୍ରମଣ କରେ
ବ୍ରହ୍ମ’ଛନ୍ତି ନୀଳଗିରି
ପୁରାଣରୁ ଖୋଜି ଦିନେ ଗଲେ ବୁଝି
ସ୍ଥୂଳ ସ୍ବରୂପକୁ ଧରି।
ଧିକ ଏ ସଂସାର ଧିକ ଏ ଜୀବନ
ସବୁ ଧିକ ମନେ କରି
ଦାରା ସୁତ ଧନ ସବୁ କରି ତ୍ୟାଗ
ଘରୁ ଆସିଲେ ବାହାରି
ପଥେ ଭିକ୍ଷା ମାଗି ଜୀଇଁ
ହୋଇଲେ ପ୍ରବେଶ ଅଠରନଳାରେ
ଦିନ ମାସକୁ ବିତାଇ ।
ଦେଖି ଦିବ୍ୟସ୍ଥାନ ନୟନ ପାବନ
ବ୍ରହ୍ମଠାରେ ରଖି ଲୟ
ନିଶ୍ଚଳ ଆସନେ ବସି ବିପ୍ରବର
ମନରୁ ତେଜିଲେ ଭୟ
ବ୍ରହ୍ମଙ୍କୁ ପାଇବା ଆଶା
ବଢ଼ିଗଲା ଯେଣୁ ଶ୍ରୀକ୍ଷେତ୍ର ଫେରନ୍ତା
ଭକତେ ଦେଲେ ଭରସା ।
ପୃଥୁକୀ ଶରୀର ଦେଖି ବାରବାର
ପୁଚ୍ଛିଲେ ସତରେ ବ୍ରହ୍ମ
ଦେଖିଅଛ ରହି ପାଞ୍ଚଦିନ ସେଠି
ମୋତେ ତ ଲାଗଇ ଭ୍ରମ
ସଂଶୟ ବ୍ରହ୍ମଚେତା
ବ୍ରହ୍ମରେ ନ ମିଶି କେମନ୍ତେ ଫେରିଲେ
କଲେ ମନେ ମନେ ଚିନ୍ତା ।
ଫିଟାଇ ପୁରାଣ ପଢ଼ିଲେ ତକ୍ଷଣ
ନୀଳଗିରି ନାମ ଦେଖି
ହେଲେ ଆଚମ୍ବିତ ଭିନ୍ନ ଲୋକମତ
ବିଚାରିଲେ ବୁଜି ଆଖି
ପଢ଼ି ପୁନଃ ପୁନଃ
ଦେଖିଲେ ପୁରାଣେ ସେହି ଏକକଥା
ଭିନ୍ନ କିଛି ଲେଖା ନୁହଁ ।
କି ବୁଦ୍ଧି କରିବି କେଣିକି ମୁଁ ଯିବି
ବ୍ରହ୍ମରେ ନହୋଇ ଲୀନ
ଆତ୍ମହତ୍ୟା ଦୋଷ ଲାଗୁ ପଛେ ମତେ
color: rgb(0, 0, 0);">କରିବି ବିଷ ଭକ୍ଷଣ
ଜାଣି ଭକତର ମନ
ପ୍ରଭୁ ଭଗବାନ ବିପ୍ର ରୂପ ଧରି
ପ୍ରବେଶ ହେଲେ ବହନ ।
ଭକତ ସଂଶୟ ପ୍ରଭୁ କରି ଦୂର
ଚଳି ଗଲେ ନୀଳଗିରି
ଦେଖେ ଧାଇଁ ପଛେ ସିଂହଦୁଆରରେ
ପତିତପାବନ ହରି
ସ୍ନାନ ମଣ୍ଡପେ ବିଜୟ
ସ୍ନାନ ପୂର୍ଣ୍ଣିମାଟି ଥିବାରୁ ସେଦିନ
ଭକ୍ତ ତୋଳେ ଜୟ ଜୟ ।
ଗଣପତି ଭଟ୍ଟ ପ୍ରଭୁଙ୍କ ନିକଟ
ଦେଖେ ମୂର୍ତ୍ତି ଦାରୁବ୍ରହ୍ମ
ଗଜବଦନ ନ ଦେଖି ଚିନ୍ତା କରେ
ନୁହଁଇ କଦା ଏ ବ୍ରହ୍ମ
ପ୍ରଣମି ପ୍ରଭୁ ପାଦରେ
ଆସିଲା ବାହୁଡ଼ି ସେଠାରୁ ବ୍ରାହ୍ମଣ
ଅତି ଦୁଃଖିତ ମନରେ ।
ବ୍ରହ୍ମ ଗଜାନନ ଅଛନ୍ତି ତା’ ମନ
ନ ବିଚାରେ ଦେବ ଆନେ
ଜାଣି ମହାପ୍ରଭୁ ଭକତ ଅନ୍ତର
ମୁଦିରଥେ ଆଜ୍ଞା ସ୍ବପ୍ନେ
ବାହୁଡ଼ି ଯାଏ ମୋ ଭକ୍ତ
ବୁଝାଇସୁଝାଇ ଘେନି ଆସ ତୁହି
ବେଗେବେଗେ ମୁଦିରଥ ।
ବାଞ୍ଛାକଳ୍ପତରୁ ପରା ମହାଗରୁ
ଚତୁର୍ବର୍ଗ ଫଳଦାତା
ଭକତର ବନ୍ଧୁ କରୁଣାର ସିନ୍ଧୁ
ଅଶେଷ ଜୀବ କରତା
ହୁଡ଼ କିଆଁ ମୂଢ଼ ପଣେ
ଲେଉଟି ଦେଖରେ ବ୍ରହ୍ମ ଗଜାନନ
ଜୀବ ମୁକତି କାରଣେ ।
ମୁଦିରଥ ମୁଖୁ ଶୁଣି ସେ ଏସବୁ
ଭ୍ରମ ଛାଡ଼ି ଫେରି ଦେଖେ
ଉଭା ହୋଇଛନ୍ତି ବ୍ରହ୍ମ ଗଜାନନ
ରହିଅଛି ଥୋର ମୁଖେ
ତୁଟିଗଲା ମତିଭ୍ରମ
ଅଶ୍ରୁଳ ଲୋଚନେ ଭକ୍ତି ଗଦଗଦେ
କରେ ବିନୀତ ପ୍ରଣାମ ।
ଆହେ ଜଗନ୍ନାଥ ଦେବସ୍ନାନ ଯାତ
ହେଉ ପ୍ରସିଦ୍ଧ ଜଗତେ
ସାରା ବିଶ୍ବବାସୀ କରନ୍ତୁ ଦର୍ଶନ
ଅତ୍ୟନ୍ତ ହରଷ ଚିତ୍ତେ
ଗଜାନନ ବ୍ରହ୍ମରାଶି
ସକଳ ଆତ୍ମାକୁ ଦିଅନ୍ତୁ ମୁକତି
ମାଗୁଣି କରେ ଭରସି ।
ଏହି ଆଜ୍ଞା ହେଉ ଯୁଗେ ଯୁଗେ ଥାଉ
ଗଜାନନ ବେଶ ଗାଥା
କହି ପଦେ ପଡ଼ି ଶିରେ କର ଯୋଡ଼ି
ବ୍ରହ୍ମେ ଧ୍ୟାନ ରଖି ମଥା
ତକ୍ଷଣେ ଜୀବନ ଛାଡ଼ି
ବିଦ୍ୟୁତ ପ୍ରାୟ ଦିଶି ବ୍ରହ୍ମଲୋକେ ମିଶି
ଗଲେ ସେ ମର୍ତ୍ତ୍ୟୁ ବାହୁଡ଼ି ।
ପ୍ରଭୁଙ୍କ ମହିମା ଭଜେ ବେଦବ୍ରହ୍ମା
ବଡ଼ ତାଙ୍କ ପାଖେ ଭକ୍ତ
ଭକତ ଛଳରେ ହସ୍ତୀ ବେଶ ଧରେ
ଭକ୍ତପ୍ରାଣ ଜଗନ୍ନାଥ
ଧନ୍ୟ ପ୍ରଭୁ ଭାବଗ୍ରାହୀ
ଆଶିଷ ବଳରେ କରୁଣା ଝରରେ
ହସଇ ମରତ ଭୂଇଁ ।